ବାବ୍ରି ମସଜିଦ୍‌ ଧ୍ବଂସ ମାମଲା: ଦୀର୍ଘ ୨୮ ବର୍ଷର ନ୍ୟାୟିକ ଲଢ଼େଇ

ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରିବ ଏଆଇଏମ୍‌ପିଏଲ୍‌ବି

ଲକ୍ଷ୍ନୌ: ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ନ୍ୟାୟିକ ଲଢ଼େଇରେ ଆଜି ସ୍ବତନ୍ତ୍ର ଅଦାଲତର ରାୟ ପ୍ରକାଶ ସହିତ ମାମଲାର ଏକ ତର୍କସଂଗତ ପରିସମାପ୍ତି ଘଟିଛି। ଉତ୍ତରପ୍ରଦେଶ ପୁଲିସ ଏହି ଘଟଣାରେ ୪୯ଟି ମାମଲା ରୁଜୁ କରିଥିଲା। ଦଙ୍ଗା, ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବାଭଳି ଭାଷଣ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ପାଇଁ ବିଭିନ୍ନ ମାମଲା ରୁଜୁ ହୋଇଥିଲା। ବାବ୍ରି ମସ୍‌ଜିଦ ଧ୍ବଂସ ମାମଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଅଯୋଧ୍ୟାରେ ୨ଟି ମାମଲା ରୁଜୁ ହୋଇଥିବାବେଳେ ‌ଲକ୍ଷ୍ନୌରେ ତୃତୀୟ ତଥା ମୋଟ୍‌ ୪୭ଟି ମାମଲା ରୁଜୁ ହୋଇଥିଲା। ବାବ୍ରି ମସଜିଦ୍‌ ଧ୍ବଂସର ଅଯୋଧ୍ୟା ମାମଲା : ତତ୍କାଳୀନ ରାମ ଜନ୍ମଭୂମି ଥାନା ଇନ୍‌ ଚାର୍ଜ‌୍ ପିଏନ୍‌ ଶୁକ୍ଳାଙ୍କ ଦ୍ବାରା ପ୍ରଥମ ମାମଲା ରୁଜୁ ହୋଇଥିଲା। ଆଇପିସିର ବିଭିନ୍ନ ଧାରା ଅଧୀନରେ ଅଜ୍ଞାତ କରସେବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବାବ୍ରି ମସଜିଦ୍‌ ଧ୍ବଂସ ପାଇଁ ଷଡ଼ଯନ୍ତ୍ର କରିଥିବା ମାମଲାରେ ସେମାନଙ୍କ ବିରୋଧରେ ଡିସେମ୍ବର ୬ ସନ୍ଧ୍ୟା ୫.୧୫ରେ ଏକ ମାମଲା ରୁଜୁ ହୋଇଥିଲା। ଏହା ଥିଲା କେସ୍‌ ନମ୍ବର ୧୯୭। ତେବେ ଏହାର ଠିକ୍‌ ୧୦ ମିନିଟ୍‌ ପରେ ଅନ୍ୟ ଜଣେ ପୁଲିସ ଅଧିକାରୀ ଭିଏଚ୍‌ପି ଏବଂ ବିଜେପିର ୮ ଜଣ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସାମ୍ପ୍ରଦାୟିକ ସଦ୍‌ଭାବନାକୁ ନଷ୍ଟ କରିବାପାଇଁ ଚେଷ୍ଟା କରିଥିବା ମାମଲାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ସେମାନେ ହେଉଛନ୍ତି ଅଶୋକ ସିଂଘଲ୍‌, ଗିରିରାଜ କିଶୋର, ବିଷ୍ଣୁ ହରି ଡାଲ୍‌ମିୟା, ସାଧ୍ବୀ ରିତାମ୍ବର, ଲାଲ୍‌ କୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ବିନୟ କଟି ୟାର ଏବଂ ଉମା ଭାରତୀ। ଏହା ଥିଲା କେସ୍‌ ନମ୍ବର ୧୯୮। ଏହାବାଦ୍‌ ଦଙ୍ଗା ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ପାଇଁ ଅନ୍ୟ ୪୭ଟି ମାମଲା ରୁଜୁ ହୋଇଥିଲା।

ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ତଦନ୍ତ : ଅଯୋଧ୍ୟା, ଫୈଜାବାଦ୍‌ ଏବଂ ଲକ୍ଷ୍ନୌରେ ଉତ୍ତରପ୍ରଦେଶ ପୁଲିସ କ୍ରାଇମ୍‌ବ୍ରାଞ୍ଚ୍‌ ମୋଟ୍‌ ୪୯ଟି ବାବ୍ରି ମସଜିଦ୍‌ ଧ୍ବଂସ ମାମଲାକୁ ତଦନ୍ତ କରିଥିଲେ। ଘଟଣାରେ ଡିସେମ୍ବର ୮ ତାରିଖରେ ପ୍ରଥମ ଗିରଫ କରାଯାଇଥିଲା। ଏଲ୍‌କେ ଆଡଭାନୀ ଏବଂ ଅନ୍ୟ ୮ ଜଣଙ୍କୁ କେସ୍‌ ନମ୍ବର ୧୯୮ ଅନୁଯାୟୀ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ଉତ୍ତରପ୍ରଦେଶ ପୁଲିସ ଏଲ୍‌କେ ଆଡଭାନୀ ଏବଂ ଅନ୍ୟମାନଙ୍କୁ ଲଳିତପୁର ଜିଲ୍ଲାର ଏକ ଗେଷ୍ଟ୍‌ ହାଉସ୍‌ରେ ରଖିଥିଲେ। ଫ୍ରେବୁଆରି ୧୯୯୩ରେ ଉତ୍ତରପ୍ରଦେଶ ସିଆଇଡି ଏହି ମାମଲାରେ ସମସ୍ତ ୮ ନେତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ହୋଇଥିଲା। କିନ୍ତୁ ବିଚାରଣ ରାଏବରେଲିକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଏହ‌ି ମାମଲା ପୁଣି ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ତେବେ ସିବିଆଇ କେସ୍‌ ନମ୍ବର ୧୯୮ର ପୁନଃ ତଦନ୍ତ ପାଇଁ ରାଏବରେଲି ସ୍ବତନ୍ତ୍ର କୋର୍ଟରୁ ଅନୁମତି ମାଗିଥ‌ିଲେ। ତେବେ ସେବେଠାରୁ ସିବିଆ‌ଇ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ଦାୟିତ୍ବରେ ରହିଛି।

ମାମଲାରେ ନୂଆମୋଡ଼: ଉତ୍ତରପ୍ରଦେଶ ସରକାର ଆହ୍ଲାବାଦ୍‌ ହାଇକୋର୍ଟଙ୍କ ସହ ପରାମର୍ଶ କରି ସେପ୍ଟେମ୍ବର ୧୯୯୩ରେ ଲକ୍ଷ୍ନୌରେ ଏକ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଥିଲେ। ଅକ୍ଟୋବର ୧୯୯୩ରେ ଉତ୍ତରପ୍ରଦେଶ ସରକାର ସିବିଆଇର ଅନୁରୋଧ କ୍ରମେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅନ୍ୟ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ସହ କେସ୍‌ ନମ୍ବର ୧୯୮କୁ ଯୋଡ଼ିବାପାଇଁ ସିବିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲ। ୨ ବର୍ଷ ପରେ ତଥା ୧୯୯୬ରେ ସିବିଆଇ ସମସ୍ତ ୪୯ଟି ମାମଲାରେ ୪୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏହାପରେ କେସ୍‌ ନମ୍ବର ୧୯୮ରେ ଅନ୍ୟ ୯ ଜଣଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ୧୯୯୭ରେ ସ୍ବତନ୍ତ୍ର କୋର୍ଟ ସମସ୍ତ ୪୯ ମାମଲାରେ ୪୯ ଅଭିଯୁକ୍ତଙ୍କ ପାଇଁ ମିଳିତ ବିଚାରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଚାର ପ୍ରକ୍ରିୟାରେ ବିଭାଜନ: ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ମିଳିତ ବିଚାରଣ ପ୍ରକ୍ରିୟାକୁ ବିରୋଧ କରି ଏଲ୍‌କେ ଆଡଭାନୀ ଏବଂ ଅନ୍ୟ ୩୨ ଅଭିଯୁକ୍ତ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଆହ୍ଲାବାଦ୍‌ ହାଇକୋର୍ଟ ସେମାନଙ୍କ ଆବେଦନ ଖାରଜ କରିଥିଲେ। ପ ୩ ବର୍ଷରୁ ଅଧିକ ସମୟ ଧରି ଲକ୍ଷ୍ନୌ ସ୍ବତନ୍ତ୍ର କୋର୍ଟରେ ବିଚାରଣ ପ୍ରକ୍ରିୟାରେ କୌଣସି ଅଗ୍ରଗତି ହୋଇନଥିଲା। ‌ତେବେ ଆହ୍ଲାବାଦ୍‌ ହାଇକୋର୍ଟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ, ଉତ୍ତରପ୍ରଦେଶ ସରକାରଙ୍କ ଅକ୍ଟୋବର ୧୯୯୩ର ବିଜ୍ଞପ୍ତି ତଥା କେସ୍‌ ନମ୍ବର ୧୯୮କୁ ଅନ୍ୟ ୪୮ ମାମଲା ସହ ଯୋଡ଼ିକା ଆଇନ ଅନୁଯାୟୀ ହୋଇନାହିଁ। ଏହାର ଅର୍ଥ ଆଡଭାନୀ, ଉମା ଭାରତୀ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଲକ୍ଷ୍ନୌ ସ୍ବତନ୍ତ୍ର କୋର୍ଟରେ ବିଚାରଣ ବେଆଇନ। ପରେ ଆହ୍ଲାବାଦ୍‌ ହାଇକୋର୍ଟ ଏହି ମାମଲାରେ ଅନ୍ୟ ୧୩ ଜଣ ଅଭିଯୁକ୍ତଙ୍କ ନାମ ଯୋଡ଼ି ମାମଲାରେ ଏକ ନୂଆ ଟ୍ବିଷ୍ଟ୍‌ ଆଣିଥିଲେ।

ରାଏବରେଲିରେ ପୁଣି ବିଚାରଣ ଆରମ୍ଭ : ଜାନୁଆରି ୨୦୦୩ରେ ସିବିଆଇ ଉକ୍ତ ମାମଲାରେ ଏଲ୍‌କେ ଆଡଭାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ବିଚାରଣ ଆରମ୍ଭ କରିବାପାଇଁ ରାଏବ‌ରେଲି ‌ସ୍ବତନ୍ତ୍ର କୋର୍ଟ‌୍‌ଙ୍କୁ ଅନୁରୋଧ କରିଥିଲେ। ସେପ୍ଟେମ୍ବର ୨୦୦୩ରେ ରାଏବରେଲି ସ୍ବତନ୍ତ୍ର କୋର୍ଟ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ଆଡଭାନୀଙ୍କୁ ସମସ୍ତ ମାମଲାରୁ ଦୋଷମୁକ୍ତ କରିଥିଲେ। କିନ୍ତୁ ସିବିଆଇର ଅନୁରୋଧ କ୍ରମେ ଆହ୍ଲାବାଦ ହାଇକୋର୍ଟ ରାଏବରେଲି କୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ। ସିବିଆଇ ପୁଣି ଥରେ କେସ୍‌ ନମ୍ବର ୧୯୭ରେ ଆଡଭାନୀ ଏବଂ ଅନ୍ୟମାନଙ୍କ ବି‌ରୋଧରେ ବିଚାରଣ ପାଇଁ ଆହ୍ଲାବାଦ ହାଇକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ। । ସୁପ୍ରିମକୋର୍ଟରେ ମାମଲା : ମେ’ ୨୦୧୦ ତାରିଖର ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସିବିଆଇ ଫେବ୍ରୁଆରି ୨୦୧୧ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ବାବ୍ରି ମସଜିଦ୍‌ ଧ୍ବଂସ ପାଇଁ ଷଡ଼ଯନ୍ତ୍ର କରିଥିବା ମାମଲାରେ ଆଡଭାନୀ ଏବଂ ଅନ୍ୟ ୨୦ ଜଣଙ୍କ ବିରୋଧରେ ବିଚାରଣ ପାଇଁ ସୁପ୍ରିମକୋର୍ଟ ନି‌ର୍ଦ୍ଦେଶ ଦେବାପାଇଁ ସିବିଆଇ ଅନୁରୋଧ କରିଥିଲା। ଏଲ୍‌କେ ଆଡଭାନୀ ଏବଂ ଅନ୍ୟ ୨୦ ଜଣଙ୍କ ବିରୋଧରେ ବିଚାରଣ ପାଇଁ ସୁପ୍ରିମକୋର୍ଟ ଏପ୍ରିଲ ୨୦୧୭ ରାୟ ଦେଇଥିଲେ। ଆଜି ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି। ମାମଲାରେ ସମସ୍ତେ ଦୋଷମୁକ୍ତ ହୋଇଛନ୍ତି।

ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରିବ ଏଆଇଏମ୍‌ପିଏଲ୍‌ବି
ନୂଆଦିଲ୍ଲୀ : ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି ତାହାକୁ ହାଇକୋର୍ଟରେ ଚ୍ୟାଲେଂଜ କରିବ ଏଆଇଏମ୍‌ପିଏଲ୍‌ବି (ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ‌୍)। ଏଆଇଏମ୍‌ପିଏଲ୍‌ବି ସଚିବ ଜଫରୟାବ୍‌ ଜିଲାନି କହିଛନ୍ତି, ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଭୁଲ୍‌। ଏହି ରାୟ ବିରୋଧରେ ଆମେ ହାଇକୋର୍ଟରେ ଆବେଦନ କରିବୁ ବୋଲି ସେ କହିଛନ୍ତି। ପ୍ରମୂଖ ସୁନ୍ନି ମୌଲାନା ଏବଂ ଏଆଇଏମ୍‌ପିଏଲ୍‌ବି ସଦସ୍ୟ ମୌଲାନା ଖଲିଦ ରଶିଦ ଫିରାଙ୍ଗି ମହାଲି କହିଛନ୍ତି, ବାବ୍ରି ମସଜିଦ୍‌କୁ କିଭଳି ସର୍ବସମ୍ମୁଖରେ ଧ୍ବଂସ କରାଯାଇଥିଲା ତାହା ସମସ୍ତେ ଦେଖିଥିଲେ ଏବଂ ଦେଶର ଆଇନ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ସେ କହିଛନ୍ତି, ମୁସଲିମ୍‌ମାନେ ଦେଶରେ କୋର୍ଟ ନିଷ୍ପତ୍ତିକୁ ସର୍ବଦା ସମ୍ମାନ ଦେଇଛନ୍ତି। ବାବ୍ରି ମସଜିଦ୍‌ ମାମଲାରେ କୋର୍ଟ ପୂର୍ବରୁ ଚୂଡ଼ାନ୍ତ ରାୟ ଶୁଣାଇ କହିଥିଲେ ଯେ, ୪୫୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ମସଜିଦ୍‌ରୁ ମୁସଲିମ୍‌ମାନେ ବଞ୍ଚିତ ହୋଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ କହିଥିଲେ ଯେ, ଏହି ଧ୍ବଂସ ଘଟଣା ବେଆଇନ। ବର୍ତ୍ତମାନ ମୁସଲିମ୍‌ ସଂଗଠନ ଗୁଡ଼ିକ ଏକାଠି ବସି କୋର୍ଟଙ୍କ ରାୟ ବିରୋଧରେ ପୁନର୍ବାର ଆବେଦନ କରାଯିବ କି ନା’ ସେନେଇ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର