ସେପ୍ଟେମ୍ବର ୩୦ ସୁଦ୍ଧା ଆସିବ ବାବରି ମସଜିଦ ଭଙ୍ଗା ମାମଲାର ରାୟ

ନୂଆଦିଲ୍ଲୀ : ବାବରି ମସଜିଦ ଭଙ୍ଗା ମାମଲାର ବିଚାର ଶେଷ କରି ରାୟ ପ୍ରକାଶ କରିବା ନିମନ୍ତେ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ଆଉ ଏକ ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ମାମଲାର ରାୟ ଶୁଣାଇବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଅଗଷ୍ଟ ୩୧ ସୁଦ୍ଧା ବାବରୀ ମସଜିଦ ମାମଲାର ରାୟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ଏହି ମାମଲାରେ ୩୨ ଜଣ ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଜୋଷୀ, ଉମା ଭାରତୀ,ବିନୟ କଟିଆର ଓ ସାଧ୍ୱୀ ରିତମ୍ଭରା ।

୧୯୯୨, ଡିସେମ୍ବର ୬ ତାରିଖରେ କରସେବକ ମାନେ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଥିବା ବାବରି ମସଜିଦକୁ ଭାଙ୍ଗି ଦେଇଥିଲେ । ଏହି ଉତ୍ତ୍ୟକ୍ତ କରସେବକମାନଙ୍କୁ ଆଡଭାନୀ, ଉମାଭାରତୀ, ବିନୟ କଟିଆର ପ୍ରଭୃତି ବିଜେପି ନେତା ଓ ବିଶ୍ୱ ହିନ୍ଦୁପରିଷଦର ଅଶୋକ ସିଂଘଲ, ଗିରିରାଜ କିଶୋର, ବିଷ୍ଣହରି ଡାଲମିଆ ଆଦି ମସଜିଦ ଭାଙ୍ଗିବାକୁ ଉସୁକାଇଥିଲେ ବୋଲି ଅଭିଯୋଗ ହେଉଛି ।
ଗତ ମାସରେ ଆଡଭାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିବିଆଇ କୋର୍ଟଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ । ବାବରି ମସଜିଦ ଭଙ୍ଗା ପଛରେ ତାଙ୍କ ହାତ ନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର