ଭୂମି ପୂଜା ପୂର୍ବରୁ ସୁନ୍ନି ୱାକଫ୍‌ ବୋର୍ଡ‌୍‌କୁ ମିଳିଲା ୫ ଏକର ଜମି

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ ପାଇଁ ସୁପ୍ରିମ୍‌ କୋର୍ଟ‌୍‌ଙ୍କ ରାୟ ମୁତାବକ ସୁନ୍ନି ୱାକଫ୍‌ ବୋର୍ଡ‌୍‌କୁ ୫ ଏକର ଜମି ପ୍ରଦାନ କରିଛନ୍ତି। ମସଜିଦ୍‌ ନିର୍ମାଣ ପାଇଁ ସୁନ୍ନି ୱକଫ୍‌ ବୋର୍ଡ ଦ୍ବାରା ଗଠନ ହୋଇଥିବା ଏକ ଟ୍ରଷ୍ଟ୍‌ (ଇଣ୍ଡୋ- ଇସଲାମିକ୍‌ କଲ୍‌ଚରାଲ୍‌ ଫାଉଣ୍ଡେସନ୍‌ ବା ଆଇଆଇସିଏଫ୍‌)ର ପ୍ରତିନିଧି ଦଳ ଗତ ଶନିବାର ଦିନ ଅଯୋଧ୍ୟା ଜିଲ୍ଲାପାଳଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସୁନ୍ନି ୱାକଫ୍‌ ବୋର୍ଡ‌୍ ଅଧ୍ୟକ୍ଷ ଜୁଫର ଫାରୁକି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ସୋଏବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗତ ଶନିବାର ଅଯୋଧ୍ୟା ଜିଲ୍ଲାପାଳଙ୍କୁ ଭେଟି ମସଜିଦ୍‌ ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ମସଜିଦ୍‌ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଦତ୍ତ ଜମିର କାଗଜପତ୍ର ସୁନ୍ନି ୱାକଫ୍‌ ବୋର୍ଡ‌୍ ଟ୍ରଷ୍ଟ୍‌ର ପ୍ରତିନିଧି ଦଳ ଗ୍ରହଣ କରିଥିଲେ। ସୋଏବ କହିଛନ୍ତି, ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଟ୍ରଷ୍ଟ୍‌ର ସଦସ୍ୟମାନେ ଖୁବ୍‌ ଶୀଘ୍ର ଆଲୋଚନା କରିବେ। ଶୀଘ୍ର ମସଜିଦ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ଅଯୋଧ୍ୟାରେ କୌଣସି ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ‌୍‌କୁ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ଗତବର୍ଷ ନଭେମ୍ବର ୯ ରେ ଐତିହାସିକ ରାୟ ପ୍ରକାଶ କରି କହିଥିଲେ। ଫେବ୍ରୁଆରି ୨୦୨୦ରେ ଉତ୍ତରପ୍ରଦେଶ ସରକାର ଫୈଜାବାଦ୍‌ର ସଦର ତହସିଲ୍‌ ଅଧୀନସ୍ଥ ଧନ୍ନିପୁର ଗ୍ରାମରେ ଜମି ଆବଣ୍ଟନ ପାଇଁ ଘୋଷଣା କରିଥିଲେ। ରାମ ଜନ୍ମଭୂମି ସ୍ଥଳଠାରୁ ଏହା ୨୫ କିମି ଦୂର। ତେବେ ମସଜିଦ୍‌ ନିର୍ମାଣ କାର୍ଯ୍ୟ ପାଇଁ ସୁନ୍ନି ୱାକର୍ଫ‌୍ ବୋର୍ଡ‌୍ ଏକ ଟ୍ରଷ୍ଟ୍‌ ଗଠନ କରିଛି ଏବଂ ଏହି ଟ୍ରଷ୍ଟ୍‌ର ୯ ଜଣ ସଦସ୍ୟଙ୍କ ନାମ ଗତ ଜୁଲାଇ ୨୯ରେ ବୋର୍ଡ‌୍ ପକ୍ଷରୁ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର