ଯାଦବପୁର ବିଶ୍ବବିଦ୍ୟାଳୟରେ ହିଂସା : କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ, ରାଜ୍ୟପାଳଙ୍କୁ ଅଟକାଇଲେ

କୋଲକାତା : ଯାଦବପୁର ବିଶ୍ବବିଦ୍ୟାଳୟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯେ‌ାଗ ଦେବାକୁ ଯାଇଥିବା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଏକ ‌ଛାତ୍ର ଗୋଷ୍ଠୀ ବିରୋଧ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ। ପରିସ୍ଥିତି ଏପରି ହେଲା ଯେ ରାଜ୍ୟପାଳ ପୋଲିସ ଫୋର୍ସ ସହିତ ବିଶ୍ବବିଦ୍ୟାଳୟ ଯାଇ ମନ୍ତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଏହାକୁ ନେଇ ରାଜ୍ୟପାଳ ଓ ମମତା ସରକାର ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟୁଥିବା ବେଳେ ବିଶ୍ବବିଦ୍ୟାଳୟ ପରିସରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାପାଇଁ ବାବୁଲ୍‌ ଆଜି ଅପରାହ୍ନରେ ଯାଦବପୁର ବିଶ୍ବବିଦ୍ୟାଳୟ ଯାଇଥିଲେ। ତାଙ୍କ ଗସ୍ତକୁ ବିରୋଧ କରି ବାମ ସଂଗଠନର ଛାତ୍ରମାନେ ତାଙ୍କୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌କୁ ପୂରାଇ ଦେଇନଥିଲେ ଏବଂ ଗେଟ୍‌ ସମ୍ମୁଖରେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। କୁଳପତିଙ୍କ ହସ୍ତକ୍ଷେପ ପରେ ପରିସ୍ଥିିିତି ଶାନ୍ତ ପଡ଼ିଥିଲା ଏବଂ ବାବୁଲ ସେମିନାରରେ ଯୋଗଦେଇଥିଲେ। ତେବେ ସେ ଫେରିବା ସମୟରେ ପୁଣି ସେହି ଛାତ୍ର ଗୋଷ୍ଠୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଏହି ଗୋଷ୍ଠୀ ଅଟକ ରଖିବା ସହିତ କେତେକ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ କିଛି ଛାତ୍ର ଚାପୁଡ଼ା ମାରିବା ସହ ସାର୍ଟ ଚିରି ଦେଇଥିଲେ। ଧସ୍ତାଧସ୍ତି ଭିତରେ ତାଙ୍କ ଚଷମା ମଧ୍ୟ ଭାଙ୍ଗି ଯାଇଥିଲା। ଏବିଭିପି ସମର୍ଥକମାନଙ୍କ ସହ ବାମ ସଂଗଠନର ଛାତ୍ରଙ୍କ ସଂଘର୍ଷ ହୋଇଥିଲା ଏବଂ ଏଥିରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି।

ସେଠାରେ ଉତ୍ତେଜନା ବଢ଼ିବାରୁ ପଶ୍ଚିମବଂଗ ରାଜ୍ୟପାଳ ଜଗଦୀପ ଧନ୍‌କର ଏଥିରେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ସେ ପୋଲିସ ଫୋର୍ସ ସହିତ ସେଠାରେ ପହଂଚି କେନ୍ଦ୍ର ମନ୍ତ୍ରୀ ବାବୁଲଙ୍କୁ ଉଦ୍ଧାର କରିଥିଲେ। ରାଜ୍ୟପାଳଙ୍କୁ ମଧ୍ୟ ଏହି ଛାତ୍ରମାନେ ବିରୋଧ କରି ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ କଡ଼ା ସୁରକ୍ଷା ବଳୟରେ ରାଜ୍ୟପାଳଙ୍କ ସହିତ ବାବୁଲ ସୁପ୍ରିୟୋ ରାତି ସାଢ଼େ ୮ଟା ବେଳେ କ୍ୟାମ୍ପସରୁ ବାହାରିଥିଲେ।

ଏହି ଘଟଣା ପରେ ଏବିଭିପିର କେତେକ ଛାତ୍ର ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିବା ସହିତ କେତେକ ରୁମରେ ନିଆଁ ଲଗାଇଦେଇଥିଲେ। ଏବେ ବି ଉତ୍ତେଜନା ଲାଗି ରହିଛି।

ରାଜ୍ୟପାଳ ସମଗ୍ର ଘଟଣାର ନିନ୍ଦା କରିବା ସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ରାଜ୍ୟପାଳ ରାଜନୀତି କରୁଛନ୍ତି ବୋଲି ମମତାଙ୍କ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର