ନୂଆଦିଲ୍ଲୀ: ଉତ୍ତର ସିରିୟାର ହରମରେ ଏକ ଛୋଟ ଗାଁ ବେସନୟା-ବିସନେହ। ଭୂକମ୍ପରେ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ଉଦ୍ଧାରକାରୀ ଦଳ ସବୁ ଶକ୍ତି ଲଗାଇ ଉଦ୍ଧାର କରୁଛନ୍ତି। ତେବେ ଉଦ୍ଧାର ଜାରି ରହିଥିବା ବେଳେ ଜଣେ କୁନି ଶିଶୁ ଏକ ଭଗ୍ନ କୋଠାତଳୁ ନିଜକୁ ଏବଂ ନିଜ ସାନ ଭାଇକୁ ବଞ୍ଚାଇବାପାଇଁ ଉଦ୍ଧାରକାରୀ ଦଳଙ୍କୁ ଯେଭଳି ଅନୁରୋଧ କରିଥିଲା ତାହା ସେମାନଙ୍କ ଆଖିରେ ଲୁହ ଆଣିଥିଲା। ଏହି କୁନି ଝିଅର ନାଁ ମରିୟମ। ସେ ଏବଂ ତା’ର ସାନ ଭାଇ ଇଲାଫ୍‌ ୩୬ ଘଣ୍ଟା କାଳ ଭଗ୍ନାବଶେଷ ତଳେ ଫସି ରହିଥିଲେ।

Advertisment

ଉଦ୍ଧାରକାରୀ ଦଳଙ୍କ କଣ୍ଠ ଶୁଣିବା ପରେ ମରିୟମ ବଞ୍ଚିବାପାଇଁ ସେମାନଙ୍କୁ ବ୍ୟାକୁଳ ହୋଇ ଅନୁରୋଧ କରିଥିଲା। ମରିୟମ କହିଥିଲା, ‘ମତେ ଏଠାରୁ ନେଇଯାଅ। ମୁଁ ତୁମ ପାଇଁ ସବୁକିଛି କରିପାରିବି। ମୁଁ ତୁମ ଚାକିର ବି ହେବି। ଏହାର ଉତ୍ତରରେ ଉଦ୍ଧାରକାରୀ ଦଳ ‘ନୋ, ନୋ’ କହି ତତ୍କାଳ ସେମାନଙ୍କୁ ତୁରନ୍ତ ଉଦ୍ଧାର ବ୍ୟବସ୍ଥା କରିଥିଲେ। ମାରିୟମ ନିଜ ଭାଇ ଇଲାଫକୁ ୩୬ ଘଣ୍ଟା ସୁରକ୍ଷା ଦେଇ ରଖିଥିଲା। ଭାଇ ମୁଣ୍ଡ ଉପରେ ନିଜ ହାତ ରଖି ସେ ଧୁଳି କବଳରୁ ଭାଇକୁ ସୁରକ୍ଷା ଦେବାପାଇଁ ଚେଷ୍ଟା କରିଥିଲା। ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଜାରି ହୋଇଛି। ଉଭୟ ମରିୟମ ଏବଂ ଇଲାଫ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।