ବେଙ୍ଗାଲୁରୁ: ଚୀନ୍ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏବେ ବେଙ୍ଗାଲୁରୁରେ ଏକ ଆଠ ମାସର ଶିଶୁ ଶରୀରରେ ମେଟାନ୍ୟୁମୋଭାଇରସ୍ ଚିହ୍ନଟ ହୋଇଛି।
ସହରର ଉତ୍ତର ଭାଗରେ ଥିବା ଲୋକପ୍ରିୟ ବାପ୍ଟିଷ୍ଟ ହସ୍ପିଟାଲରେ ଏହି ମାମଲା ଚିହ୍ନଟ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ସ୍ପଷ୍ଟ କରିଛି ଯେ ସେମାନେ ସେମାନଙ୍କର ଲ୍ୟାବରେ ନମୁନା ପରୀକ୍ଷା କରିନାହାଁନ୍ତି। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଏହି ରିପୋର୍ଟ ଏକ ଘରୋଇ ଡାକ୍ତରଖାନାରୁ ଆସିଛି ଏବଂ ଘରୋଇ ଡାକ୍ତରଖାନାର ପରୀକ୍ଷା ଉପରେ ସନ୍ଦେହ କରିବାର ଆମର କୌଣସି କାରଣ ନାହିଁ।
ଏହି ଭାଇରସ୍ ପାଇଁ ଚୀନ୍ରେ ଅତି ଉଦ୍ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ। ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ପାଇଁ ଚୀନ୍ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି।