ନିଶାସକ୍ତ ଅବସ୍ଥାରେ ନିରୀହ ଶିଶୁ ଉପରେ ଗରମ ପାଣି ଢାଳିଦେଲା ମା, ଯନ୍ତ୍ରଣା ସହି ନ ପାରି ଶିଶୁର ମୃତ୍ୟୁ

ଲଣ୍ଡନ:ନିଶାସକ୍ତ ଅବସ୍ଥାରେ ଚୁର ଥିବା ଜଣେ ମହିଳା ତାଙ୍କ ଶିଶୁ ଉପରେ ଗରମ ପାଣି ଢ଼ାଳିଦେଲେ, ଆଉ ଘଣ୍ଟାଏରୁ ଅଧିକ ସମୟ ଧରି ଯନ୍ତ୍ରଣା ସହିବା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା | ଏଭଳି ଏକ ଲୋମହର୍ଷଣ କାହାଣୀ ଲଣ୍ଡନରୁ ଆସିଛି | ମିଳିଥିବା ସୂଚନା ମୁତାବକ ଲଣ୍ଡନର ୨୬ ବର୍ଷୀୟ ମହିଳା କ୍ୟାଟି କ୍ରୌଟର କୋକେନ ଡ୍ରଗ୍ସ ସେବନ କରିଥିଲେ | ଆଉ ନିଶାସକ୍ତ ଅବସ୍ଥାରେ ତାଙ୍କ ୧୯ ମାସର ଶିଶୁ ଉପରେ ଗରମ ପାଣି ଢାଳି ଦେଇଥିଲେ |

ଶିଶୁଟି ପ୍ରାୟ ଏକ ଘଣ୍ଟା ଧରି କାନ୍ଦିବା ପରେ ଯନ୍ତ୍ରଣା ସହି ନପାରି ଆରପାରିକୁ ଚାଲିଯାଇଥିଲା | ଏହି ମାମଲାରେ ସ୍ଥାନୀୟ ଏକ କୋର୍ଟ ଅଭିଯୁକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ଏହି ଘଟଣାରେ ରାୟ ପ୍ରକାଶ କରି ବିଚାରପତି ଜେରେମି ବେକର କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ବିଚାରପତି ଆହୁରି କହିଛନ୍ତି ଯେ, କୁନି ଝିଅ ଉପରେ ଗରମ ପାଣି ଢାଳିଦିଆଯାଇଥିବାରୁ ଶିଶୁର ଶରୀରର ୬୫ ପ୍ରତିଶତ ଜଳିଯାଇଥିଲା |

ଡାକ୍ତରୀ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ଝିଅଟିର ତୁରନ୍ତ ମୃତ୍ୟୁ ହୋଇନଥିଲା, ପ୍ରାୟ ୧ ଘଣ୍ଟା ଧରି ଯନ୍ତ୍ରଣା ସହିବା ପରେ ଝିଅଟିର ମୃତ୍ୟୁ ହୋଇଥିଲା | ତେଣୁ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ପାଇଁ ଅଭିଯୁକ୍ତ ମା କୁ ଆଜୀବନ କାରାଦଣ୍ଡ ଦେବାକୁ କୋର୍ଟ ନିଷ୍ପତି ନେଇଛନ୍ତି | ସୂଚନା ଥାଉ କି କିଛି ଦିନ ତଳେ ଜଣେ ମା ଡ୍ରଗ୍ସ ସେବନ କରି ଶିଶୁକୁ ସ୍ତନ୍ୟପାନ କରାଇଥିବାରୁ ଶିଶୁର ମଧ୍ୟ ମୃତ୍ୟୁ ହୋଇଯାଇଥିଲା | ଆମେରିକାର କାଲିଫର୍ଣ୍ଣିଆର ଏଭଳି ଏକ ଘଟଣା ଘଟିଥିଲା |

ସମ୍ବନ୍ଧିତ ଖବର