ଶ୍ରୀନଗର: ଜମ୍ମୁ ନିକଟରେ ଥିବା ଶରଣାର୍ଥୀ ଅଟକ କେନ୍ଦ୍ରରେ ମରିଯାଇଥିବା ଶିଶୁର ଅନ୍ତିମ ସଂସ୍କାର ଲାଗି ତା’ର ବାପାମାଆଙ୍କୁ ହାତକଡ଼ି ପକାଇ ଶ୍ମଶାନକୁ ଅଣାଯାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

Advertisment

ହାତକଡ଼ି ପଡ଼ିଥିବା ଉକ୍ତ ରୋହିଙ୍ଗ୍ୟା ଶରଣାର୍ଥୀ ଦମ୍ପତି ସେମାନଙ୍କ ସନ୍ତାର ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ଚଳିତ ସପ୍ତାହ ପ୍ରାରମ୍ଭରେ ଉକ୍ତ ଶରଣାର୍ଥୀ ଅଟକ କେନ୍ଦ୍ରରେ ଥିବା ଅନ୍ତେଃବାସୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ଯୋଗୁଁ ୩ଜଣ ପୁଲିସ କର୍ମଚାରୀ ଓ ରୋହିଙ୍ଗ୍ୟାଙ୍କ ସମେତ କିଛି ବ୍ୟକ୍ତି ଆହତ ହୋଇଥିଲେ।

publive-image Image Courtesy of Inshorts

ସେହି କେନ୍ଦ୍ରରେ ହିଁ ଉକ୍ତ ୪୩ ଦିନର ଛୁଆଟି ମରିଯାଇଥିଲା। ଗୁରୁବାର ଦିନ ସେ ଛୁଆର ଶବକୁ ଜମ୍ମୁସ୍ଥିତ ରୋହିଙ୍ଗ୍ୟା ବସତିରେ ବାସ କରୁଥିବା  ତା’ର ଅନ୍ୟ ଆତ୍ମୀୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

ଜମ୍ମୁର ନର୍‌ୱାଲ୍‌ରେ ଥିବା ସେମାନଙ୍କ ଆତ୍ମୀୟଙ୍କୁ ପିଲାର ଶବ ହସ୍ତାନ୍ତର କରାଯିବା ଓ ଶ୍ମଶାନକୁ ଯିବା ବ‌େଳେ ତା’ର ବାପାମାଆଙ୍କ ହାତରେ ହାତକଡ଼ି ପଡ଼ିଥିବା କଥା ଦୁଇଟି ଭିଡିଓରେ ଦେଖାଯାଉଛି।

ଛୁଆଟି ସଂଘର୍ଷରେ ମରିଥିବା କଥାକୁ ଜେଲ୍‌ କର୍ତ୍ତୃପକ୍ଷମାନ‌େ ଅସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି ଯେ, ଛୁଆଟିର ଅନ୍ୟ କୌଣସି ଅସୁସ୍ଥତା ଥିଲା। ସଂଘର୍ଷ ଘଟିବାର ୨ ଦିନ ପରେ ତା’ର ମୃତ୍ୟୁ ଘଟିଲା।

ଉଲ୍ଲେଖଯୋଗ୍ୟ, ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ପାଇଁ ଅଟକ କେନ୍ଦ୍ର କରାଯାଇଥିବା ହୀରାନଗର ଉପ-କାରାଗାରରେ ସେଦିନ ସଂଘର୍ଷ ବେଳେ ଟେକାପଥର ଫିଙ୍ଗାଫିଙ୍ଗିରେ ଲିପ୍ତଥିବା ରୋହିଙ୍ଗ୍ୟାମାନଙ୍କ ନାଁରେ ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି।