ବହୁ କଷ୍ଟରେ ମିଳିଲା ଆଫଗାନିସ୍ତାନ ବିମାନ ବନ୍ଦରରେ ଜନସ୍ଥାନାନ୍ତରଣ ବେଳେ ହଜିଥିବା ଦୁଇ ମାସର ଟିକିପୁଅ ସୋହୈଲ୍‌

କାବୁଲ୍‌: ଆଫଗାନିସ୍ତାନରୁ ଆମେରିକୀୟମାନେ ବିମାନ ଯୋଗେ ଲୋକମାନଙ୍କୁ ସ୍ଥାନାନ୍ତର କରୁଥିବା ସମୟରେ ଗୋଳମାଳିଆ ପରିସ୍ଥିତି ଯୋଗୁଁ ହଜିଯାଇଥିବା ଟିକିପୁଅଟିକୁ ବହୁ କଷ୍ଟରେ ଉଦ୍ଧାର କରାଯାଇ ଶନିବାର ଦିନ ତା’ର ଆତ୍ମୀୟଙ୍କୁ ଅର୍ପଣ କରାଯାଇଛି।

ସୂଚନାଯୋଗ୍ୟ, ତାଲିବାନ୍‌ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ ହଜାର ହଜାର ଲୋକ ଦେଶ ଛାଡ଼ି ଚାଲିଯିବାକୁ ବିମାନ ବନ୍ଦରରେ ଗହଳି କରିଥିଲେ। ଅଗଷ୍ଟ ୧୯ ତାରିଖରେ ଜନସ୍ଥାନାନ୍ତରଣ ସମୟରେ ଧସ୍ତାଧସ୍ତି ହେବାରୁ  ବିମାନ ବନ୍ଦର ପାଚେରି ସେପାଖରେ ଥିବା ‌ଜଣେ ସୈନିକଙ୍କ ହାତକୁ ଦୁଇ ମାସର ଟିକିପୁଅ ସୋହୈଲ୍‌ ଅହମଦିକୁ ବଢ଼ାଇ ଦେଇଥିଲେ। ସେବେଠାରୁ ସେ ନିଖୋଜ ହୋଇଯାଇଥିଲା।

ନଭେମ୍ବର ‘ରଏଟର୍ସ’ରେ ନିରୁଦ୍ଦିଷ୍ଟ‌ ସୋହୈଲ୍‌ର ଫଟୋ ସହ ଆଲେଖ୍ୟ ପ୍ରକାଶ ପାଇବାରେ ତାକୁ କାବୁଲ୍‌ରେ ଠାବ କରାଯାଇଥିଲା। ହମିଦ୍‌ ସାଫି ନାମରେ ଜଣେ ଟ୍ୟାକ୍ସି ଚାଳକ ତାକୁ ବିମାନ ବନ୍ଦରରୁ ପାଇ ଘରକୁ ନେଇ ନିଜ ପିଲା ପରି ପାଳିଥିଲେ।

ଦୀର୍ଘ ୭ ସପ୍ତାହର ବୁଝାମଣା, କାକୁତିମିନତି ଏବଂ ଶେଷରେ ତାଲିବାନ୍ ପୁଲିସଦ୍ବାରା କିଛି ଦିନ ଅଟକ ରହିବା ପରେ ସାଫି ବାଧ୍ୟ ହୋଇ ସୋହୈଲ୍‌କୁ କାବୁଲ୍‌ରେ ଥିବା ତା’ର ଜେଜେବାପା ଏବଂ ଅନ୍ୟ ଆତ୍ମୀୟଙ୍କୁ ଅର୍ପଣ କରିଥିଲେ। ଏବେ ସେମାନେ ଆମେରିକାରେ ରହୁଥିବା ତା’ର ବାପାମାଆ ଏବଂ ୪ ଭାଇଭଉଣୀଙ୍କ ପାଖରେ ଛାଡ଼ିବେ। ଦୁଇ ମାସ ପୂର୍ବେ ତା’ର ବାପାମାଆ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ।

Image Courtesy of Zee News

ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସୋହୈଲ୍‌ର ବାପା ମିର୍ଜା ଅଲି ଅହମଦି ସେଦିନ ବିମାନ ବନ୍ଦରରେ ଅସମ୍ଭବ ଗହଳି ଓ ସୈନିକମାନଙ୍କର ଧସ୍ତାଧସ୍ତି ଦେଖି ପାଚେରି ସେପଟେ ଆମେରିକୀୟ ସୈନିକ ଭଳି ଦେଖାଯାଉଥିବା ୟୁନିଫର୍ମ ପରିହିତ ଜଣେ ବ୍ୟକ୍ତିଙ୍କୁ ଟିକିପୁଅ ସୋହୈଲ୍‌କୁ ଟେକି ଦେଇଥିଲେ। ଏହାପରେ ମିର୍ଜା ଏବଂ ତାଙ୍କ ପତ୍ନୀ ସୁରୈୟା କୌଣସିମତେ ସେମାନଙ୍କର ଅନ୍ୟ ଚାରି ପିଲାଙ୍କୁ ଧରି ଆମେରିକା ଅଭିମୁଖେ ଯାଉଥିବା ବିମାନ ଆରୋହଣ କରିବାରେ ସମର୍ଥ ହୋଇଥିଲେ। କିନ୍ତୁ, ସେବେଠାରୁ ଆଉ ସୋହୈଲ୍‌ର ପତ୍ତା ମିଳି ନ ଥିଲା। ସେମାନଙ୍କର ଆଶଙ୍କା ହୋଇଥିଲା କି, ସେଦିନ ତାଙ୍କ ପୁଅ ବିମାନ ବନ୍ଦର ଫାଟକ ନିକଟରେ ହୋଇଥିବା ଠେଲାପେଲାରେ ଦଳିଚକଟି ହୋଇ ମରି ଯାଇଥାଇ ପାରେ।

ସୌଭାଗ୍ୟକୁ ସେମିତି ‌କିଛି ଘଟି ନ ଥିଲା। ସେଦିନ ନିଜ ଭାଇଙ୍କ ପରିବାରକୁ ବିମାନ ଚଢ଼ାଇ ଦେଇ ଫେରିବା ବେଳେ ଟ୍ୟାକ୍ସି ଚାଳକ ସାଫି ଏକାକୀ ସୋହୈଲ୍‌ଭୂଇଁରେ ପଡ଼ି କାନ୍ଦୁଥିବା ଦେଖି ଉଠାଇ ନେବା ସହ ତା’ର ବାପାମାଆଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ, ସେମାନଙ୍କୁ ନ ପାଇ ସେ ସୋହୈଲ୍‌କୁ ନିଜ ଘରକୁ ନେଇଯାଇଥିଲେ।

ସମ୍ବନ୍ଧିତ ଖବର