ମୃତ୍ୟୁକୁ ପରାଜିତ କରି ୯୫ ଫୁଟ୍ ବୋରୱେଲ ଗାତରୁ ଉଦ୍ଧାର ହେଲା ୪ ବର୍ଷର ଶିଶୁ

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଘଟଣା । ଗୋଟିଏ ୪ ବର୍ଷର ଶିଶୁକୁ ୯୫ ଫୁଟ୍ ଗାତ ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଜିଲ୍ଲାର ସଂଚେର ଅଞ୍ଚଳର ଲାଛଡି ଗାଁର ନାଗାରାମ ଦେବାସୀଙ୍କ ୪ ବର୍ଷର ପୁଅ ଅନୀଲ୍ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ବି କିଛି ସନ୍ଧାନ ପାଇ ନଥିଲେ । ଅନ୍ୟ ଏକ ପିଲା କହିବା ପରେ ପରିବାର ଲୋକେ ଜାଣିଥିଲେ ଯେ ତାଙ୍କ ପୁଅ ୯୫ ଫୁଟ୍ ଗଭୀର ଖୋଳା ଯାଇଥିବା ଏକ ବୋରୱେଲ ଗାତ ଭିତରକୁ ଗଳି ପଡିଛି ବୋଲି।

ଅନୀଲକୁ ବାହାରକୁ ବାହାର କରିବାକୁ ପ୍ରଥମେ ଏନଡିଆରଏଫର ସ୍ଥାନୀୟ କର୍ମଚାରୀ ପହଂଚିଯାଇଥିଲେ । ହେଲେ ସେମାନେ ଉଦ୍ଧାର କରିବାକୁ ସଫଳ ହୋଇପାରି ନଥିଲେ । ଏହାପରେ ଗାଁ ଲୋକ ବିଭିନ୍ନ ଉପାୟରେ ଅନୀଲକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ବି ସଫଳ ହୋଇନଥିଲା । ଏହାପରେ ଏନଡିଆରଏଫ୍ର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଂଚି ଆରମ୍ଭ କରିଥିଲା ଅପରେସନ୍ ଅନୀଲ । ଏଥିରେ ପ୍ରଥମେ ଅନିଲ ନିଟକକୁ କ୍ୟାମେରା ପଠାଇ ଅନିଲର ସ୍ଥିତି ବାବଦରେ ଯାଂଚ କରିଥିଲେ । ଏହାପରେ ସେମାନେ ଦେଖିବାକୁ ପାଇଥିଲେ କି ସବୁ ଠିକ୍ ଅଛି କେବଳ ଅକ୍ସିଜେନ ଯୋଗାଣ ହେବା ଦରକାର । ଏହାପରେ ଅନୀଲ ଫସିଥିବା ଗାତ ଭିତରକୁ ଅକ୍ସିଜେନ ଯୋଗାଣ ଆରମ୍ଭ କରିଥିଲେ । ହଜାର ହଜାର ଲୋକ ଠୁଳ ହୋଇଥିଲେ । ସମସ୍ତେ ଅବାକ୍ , କେବଳ ହାତଯୋଡି ନିୟତିକୁ ଡାକିବାରେ ବ୍ୟସ୍ତ ।

ଏନଡିଆରଏଫ୍ ଟିମ୍ ଅନୀଲକୁ ଗାତ ଭିତରେ ବଂଚାଇ ରଖିବାର ବ୍ୟବସ୍ଥା ସିନା କରିଦେଲା, ହେଲେ ତାକୁ ବାହାରକୁ ବାହାର କରିବାରେ ସଫଳ ହୋଇପାରିଲା ନାହିଁ । ଏହାପରେ ସ୍ଥାନୀୟ ବ୍ୟକ୍ତି ସାଧାରାମ ସୁଥାର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଦେଶୀ ଉପାୟରେ ଅନୀଲକୁ ଗାତ ଭିତରୁ ବାହାରକୁ ବାହାର କରାଗଲା । ଅନୀଲ ଗାତ ଭିତରେ ପଶିବା ଓ ବାହାରିବା ମଧ୍ୟରେ ୧୬ ଘଂଟା ବିତି ଯାଇଥିଲା । ଅନୀଲ ବାହାରକୁ ବାହାରିବା ପରେ ସୁସ୍ଥ ଥିବା କଥା କହିଛନ୍ତି ଡାକ୍ତର।
କହିରଖୁ କି ଅନୀଲର ବାପା ନାଗାରାମ କ୍ଷେତକୁ ପାଣି ଯୋଗାଇବାକୁ ଏକ ବୋରୱେଲ ଖୋଳିଥିଲେ । ଏହା କେବଳ ଖୋଳା ହୋଇଥିଲା ଓ ଗାତ ଉପରେ ଏକ ଢାଙ୍କଣା ଦିଆଯାଇ ରଖାଯାଇଥିଲା । ଅନୀଲ ଖେଳୁଥିବା ବେଳେ ଗାତ ଉପରର ଢାଙ୍କଣା କାଢି ତାହାକୁ ଭିତରୁ ଦେଖିବାକୁ ଚେଷ୍ଟା କରୁଥିବା ବେଳେ ଗାତ ଭିତରକୁ ଗଳିପଡିଥିଲା ।

ସମ୍ବନ୍ଧିତ ଖବର