ତୃତୀୟ ଲହର ପୂର୍ବରୁ କରୋନାରେ ସଂକ୍ରମିତ ହେଲେଣି ଶିଶୁ, କର୍ଣ୍ଣାଟକରେ ୧୫ ଦିନରେ ୧୯ ହଜାର ଶିଶୁ ଆକ୍ରାନ୍ତ

ପିଲାଙ୍କଠାରେ ଦେଖାଦେଇପାରେ ଏସବୁ ଲକ୍ଷଣ

ବେଙ୍ଗାଲୁରୁ: ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଚାଲିଛି। ଦ୍ବିତୀୟ ଲହର ପରେ ଦେଶକୁ ତୃତୀୟ ଲହର ଯେକୌଣସି ସମୟରେ ଆସିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ସାରିଲେଣି। ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା କୁହାଯାଉଛି। କିନ୍ତୁ ତୃତୀୟ ଲହର ପୂର୍ବରୁ ବହୁସଂଖ୍ୟକ ଶିଶୁ ଏବେ କରୋନାରେ ସଂକ୍ରମିତ ହେଉଛନ୍ତି। କର୍ଣ୍ଣାଟକରେ ଗତ ୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମେ ୧ ତାରିଖରୁ ୧୬ ତାରିଖ ମଧ୍ୟରେ ଏହି ସଂକ୍ରମଣ ହୋଇଛି। ପ୍ରଥମ ଲହର ସମୟରେ ୨୦୨୦ ମାର୍ଚ୍ଚ ୯ରୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୧୦ ବର୍ଷରୁ କମ୍ ବୟସର ୧୯,୩୭୮ ଜଣ ଶିଶୁ ଏବଂ ୧୧ ବର୍ଷରୁ ୨୦ ବର୍ଷ ବସୟର ୪୧,୯୮୫ ଶିଶୁ ପ୍ରଭାବିତ ହୋଇଥିଲେ। କିନ୍ତୁ ଦ୍ବିତୀୟ ଲହରରେ ଏତେ କମ୍ ସମୟ ମଧ୍ୟରେ ଏତେ ଅଧିକ ଶିଶୁ କରୋନାରେ ସଂକ୍ରମିତ ହେବା ଚିନ୍ତାର କାରଣ ପାଲଟିଛି। ଡାକ୍ତରଙ୍କ କହିବାନୁଯାୟୀ, ଶିଶୁଙ୍କ ଠାରେ କରୋନାର ଆସ୍ବାଭାବିକ ଲକ୍ଷଣ ଦେଖାଯାଉଛି। ୧୦ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କ କ୍ଷେତ୍ରରେ ପେଟରୋଗ ମଧ୍ୟ ‌ଦେଖାଦେଉଛି। କିଛି ଶିଶୁଙ୍କ କ୍ଷେତ୍ରରେ ଚର୍ମ ରୋଗ ବି ହେଉଛି। ଶିଶୁଙ୍କଠାରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ସରକାର ସତର୍କ ହୋଇଯାଇଛନ୍ତି।

ଦିଲ୍ଲୀରେ ୨ ଶିଶୁ ମୃତ
ଦିଲ୍ଲୀରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ୨ ଜଣ ଶିଶୁଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଯାଇଛି। ଜଣେ ୫ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୯ ବର୍ଷର। ଏହି ଦୁଇ ଶିଶୁ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୫ ବର୍ଷର ଶିଶୁ ପରୀ ୬ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବା ପରେ ଗତ ବୁଧବାର ଆଖି ବୁଜିଛି। ସେହିଭଳି ୯ ବର୍ଷୀୟ କ୍ରିସୁ ମଧ୍ୟ ଗତ ଗୁରୁବାର ସକାଳେ ସେହି ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଦୁଇ ଶିଶୁଙ୍କର ଅକ୍ସିଜେନ ସ୍ତର ୩୦ ତଳକୁ ଖସିଯିବା ସହିତ ଫୁସଫୁସ୍ ଯଥେଷ୍ଟ ମାତ୍ରାରେ ସଂକ୍ରମିତ ହୋଇଯାଇଥିଲା ବୋଲି ‌ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ପିଲାଙ୍କଠାରେ ଦେଖାଦେଇପାରେ ଏସବୁ ଲକ୍ଷଣ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଯେଉଁ ପିଲାମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ହାଲ୍‌କା ଜର, କାଶ, ଶର୍ଦ୍ଦି, ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ, ଥକାପଣ, ଗଳା ଦରଜ ହେବା, ସ୍ବାଦ ବାରି ନପାରିବା, ଆଘ୍ରାଣ ଶକ୍ତି କମିଯିବା, ମାଂସପେଶୀ ଦରଜ ହେବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି। କିଛି ପିଲାଙ୍କ ନିକଟରେ ପେ‌ଟରୋଗ ଜନିତ ସମସ୍ୟା ସହିତ ଅନ୍ୟ ଅସାଧାରଣ ଲକ୍ଷଣ ଦେଖିବାକୁ ମିଳୁଛି। ଏକ ଗବେଷଣା ଅନୁଯାୟୀ, ପିଲାଙ୍କ ଠାରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟରି ସିଣ୍ଡ୍ରୋମ୍ ନାମକ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏଥିରେ ଜର, ପେଟ ଦରଜ, ଥକାପଣ, ହୃତପିଣ୍ଡର ସ୍ପନ୍ଦନ ବଢ଼ିଯିବା, ଆଖି ଲାଲ ପଡ଼ିବା ଭଳି ଲକ୍ଷଣ ରହିଛି।

ସମ୍ବନ୍ଧିତ ଖବର