ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନର ଅଭିଯାନ ଶେଷ କରି ଭାରତର ପ୍ରଥମ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ସାଥୀ ମହାକାଶଚାରୀ କମାଣ୍ଡର ପେଗି ହ୍ୱିଟସନ୍ (ଆମେରିକା), ସ୍ଲାଓଜ୍ ଉଜନାନସ୍କି (ପୋଲାଣ୍ଡ) ଓ ଟିବୋର୍ କାପୁ (ହଙ୍ଗେରୀ)ଙ୍କ ସହ ନିରାପଦରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କାଲିଫର୍ଣ୍ଣିଆ ଉପକୂଳରେ ତାଙ୍କର ସୁରକ୍ଷିତ ଅବତରଣ ପରେ କୋଟି କୋଟି ଭାରତୀୟ ଆଶ୍ବସ୍ତ ହୋଇଛନ୍ତି। ଭାରତର ନୂତନ ମହାକାଶ ନାୟକ ତଥା ଆଇଏସ୍ଏସ୍ ପରିଦର୍ଶନ କରିଥିବା ଦେଶର ପ୍ରଥମ ମହାକାଶଚାରୀ ଶୁକ୍ଳା ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନରେ ଅପରାହ୍ଣ ପ୍ରାୟ ୩ଟା ୧ ମିନିଟ୍ରେ ସାନ୍ଡିଏଗୋ ଉପକୂଳ ପ୍ରଶାନ୍ତ ମହାସାଗରରେ ଅବତରଣ କରି ଐତିହାସିକ ଆକ୍ସମ୍-୪ ଅଭିଯାନ ଶେଷ କରିଥିଲେ। ସୋମବାର ସନ୍ଧ୍ୟାରେ ଆଇଏସ୍ଏସ୍ରୁ ମହାକାଶଯାନ ଉଡ଼ାଣ ଭରିବା ପରେ ପ୍ରାୟ ୨୨ ଘଣ୍ଟାର ପ୍ରତ୍ୟାବର୍ତ୍ତନ ଯାତ୍ରାର ଅନ୍ତ ଘଟିଛି।
୧୯୮୪ରେ ରାକେଶ ଶର୍ମାଙ୍କ ମହାକାଶ ଅଭିଯାନ ପରେ ଶୁଭାଂଶୁ ଶୁକ୍ଳା ଆଇଏସ୍ଏସ୍ କକ୍ଷପଥରେ ପରିକ୍ରମା କରିବାରେ ପ୍ରଥମ ଭାରତୀୟ ଓ ମହାକାଶକୁ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ଭାରତର ମାନବ ମହାକାଶଯାତ୍ରାରେ ଏହା ଏକ ବଡ଼ ଅଗ୍ରଗତି ଏବଂ ଦେଶର ଆଗାମୀ ଗଗନଯାନ ଅଭିଯାନରେ ଏକ ଉତ୍ସାହପ୍ରଦ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଭାରତ ପାଇଁ ନୂଆ ଆରମ୍ଭ
ଆକ୍ସମ୍-୪ ଅଭିଯାନରେ ଶୁକ୍ଳାଙ୍କ ଅଂଶଗ୍ରହଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ମାନବ ମହାକାଶଯାତ୍ରା ଅଭିଯାନରେ ଅମୂଲ୍ୟ ଅଭିଜ୍ଞତା ପ୍ରଦାନ କରିଛି। ଯାହା ଗଗନଯାନର ଯୋଜନା ଓ କାର୍ଯ୍ୟକାରିତାରେ ସାହାଯ୍ୟ କରିବ। ଇସ୍ରୋ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ ଶୁକ୍ଳାଙ୍କ ୧୮ ଦିନର ସଫଳ କକ୍ଷପଥ ରହଣି, ମହାକାଶ ମିସନ୍ରେ ତାଙ୍କର ଅନୁଭୂତି ଓ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଭାରତୀୟ ମହାକାଶ ବିଜ୍ଞାନକୁ ଏକ ନୂଆ ଦିଶା ଦେବ। ବିଶେଷ କରି ଅଗାମୀ ଦିନରେ ଭାରତର ମହାକାଶଯାନ ଅପରେସନ୍, ଶୂନ୍ୟରେ ଅତି ସୂକ୍ଷ୍ମ ମାଧ୍ୟକର୍ଷଣ ଶକ୍ତି ଏବଂ ମିସନ୍ ପରବର୍ତ୍ତୀ ମହାକାଶଚାରୀଙ୍କ ସ୍ବାସ୍ଥ୍ୟଗତ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ତଥ୍ୟ ଆହରଣରେ ସାହାଯ୍ୟ କରିବ। ଭାରତୀୟ ବିକଶିତ ଜ୍ଞାନକୌଶଳ ସହିତ ଶୁକ୍ଳା କରିଥିବା ବୈଜ୍ଞାନିକ ପରୀକ୍ଷଣ କେବଳ ବିଶ୍ୱ ଗବେଷଣା ପାଇଁ ଲାଭଦାୟକ ହେବ ନାହିଁ, ପରନ୍ତୁ ଭବିଷ୍ୟତର ମହାକାଶ ଷ୍ଟେସନ୍ ଓ ଚନ୍ଦ୍ର ଅଭିଳାଷ ପାଇଁ ମଧ୍ୟ ଭାରତର ସାମର୍ଥ୍ୟକୁ ସୁଦୃଢ଼ କରିବ।
ପୃଥିବୀକୁ ନିରାପଦ ପ୍ରତ୍ୟାବର୍ତ୍ତନ
କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ
ମହାକାଶରୁ ପ୍ରତ୍ୟାବର୍ତ୍ତନ ପରେ ଶୁକ୍ଳା ଓ ସାଥୀ କ୍ରୁ’ମାନଙ୍କୁ ପୁନର୍ବାର ପୃଥିବୀର ମାଧ୍ୟାକର୍ଷଣ ସହ ଖାପ ଖୁଆଇବା ପାଇଁ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶୁଭାଂଶୁ ଶୁକ୍ଳାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଭାରତର ମହାକାଶ ଯାତ୍ରାର ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏହା ବିଭିନ୍ନ ପ୍ରତିବନ୍ଧକ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପନ କରିଛି। ଏହି ସଫଳ ମହକାଶ ଅଭିଯାନ ଆଗାମୀ ଦଶନ୍ଧିରେ ଭାରତର ମାନବ ମହାକାଶ ଯାତ୍ରା ଅଭିଳାଷର ଦୃଢ଼ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଶୁକ୍ଳାଙ୍କ ଆକ୍ସ-୪ ଉଡ଼ାଣକୁ ସହଯୋଗ କରିବା ପାଇଁ ଇସ୍ରୋ ପାଖାପାଖି ୫୫୦ କୋଟି ଟଙ୍କା ବିନିଯୋଗ କରିଥିଲା। ମହାକାଶଚାରୀ ଚୟନଠୁ ଆରମ୍ଭ କରି ପ୍ରଶିକ୍ଷଣ, କକ୍ଷପଥରେ କାର୍ଯ୍ୟପ୍ରବାହ, ଜରୁରିକାଳୀନ ପ୍ରକ୍ରିୟା, ମାନସିକ ସହାୟତା ଆଦି କ୍ଷେତ୍ରରେ ଏସବୁ ଅର୍ଥ ବିନିଯୋଗ କରାଯାଇଛି। ଇସ୍ରୋର ପୂର୍ବତନ ଅଧିକାରୀଙ୍କ କହିବା ମୁତାବକ, ମହାକାଶକୁ ଉପଗ୍ରହ ଉତ୍କ୍ଷେପଣ କିମ୍ବା ରିମୋଟ୍ ଗ୍ରାଉଣ୍ଡ-ଆଧାରିତ ସିମୁଲେସନ୍ଠାରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ଅଭିଜ୍ଞତା ଭାରତକୁ ମହାକାଶ ବିଜ୍ଞାନରେ ଆଗକୁ ବଢ଼ିବା ପାଇଁ ଯଥେଷ୍ଟ ସହାୟକ ହେବ। ଯାହା ଶୁକ୍ଳାଙ୍କ ସଫଳ ଅଭିଯାନରୁ ସାବ୍ୟସ୍ତ ହୋଇସାରିଛି।