ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଦିଲ୍ଲୀ-ଲଣ୍ଡନ ବିମାନ (ଏଆଇ୧୧୧) ସୋମବାର ଦିନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ବିମାନ ଉଡ଼ାଣ ଆରମ୍ଭ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ଏହା ପୁଣିଥରେ ଦିଲ୍ଲୀକୁ ଫେରି ଆସିଛି। ମଝି ଆକାଶରେ ଜଣେ ଯାତ୍ରୀ ବିମାନର ୨ ଜଣ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ ମାରଧର କରିଥିଲେ।
ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୬.୫୨ ସମୟରେ ବିମାନଟି ଉଡ଼ାଣ ଆରମ୍ଭ କରିବାପରେ ଜଣେ ଯାତ୍ରୀ ହଠାତ୍ ଅଶୋଭନୀୟ ଆଚରଣ ଦେଖାଇଥିଲେ ଏବଂ ଏହାପରେ ସେ ବିମାନ କର୍ମଚାରୀଙ୍କ ସହ ଖରାପ୍ ବ୍ୟବହାର କରିଥିଲେ। ୨ ଜଣ ବିମାନ କର୍ମଚାରୀଙ୍କୁ ସେ ମାଡ଼ ମାରିଥିଲେ। ଫଳରେ ବିମାନଟି ଏହାର ଲକ୍ଷ୍ୟସ୍ଥଳରେ ଆଗକୁ ଆଉ ଉଡ଼ାଣ ନକରି ଦିଲ୍ଲୀ ଫେରି ଆସିଥିଲା। ବିମାନଟି ଦିଲ୍ଲୀ ପହଞ୍ଚିବାପରେ ସମ୍ପୃକ୍ତ ଯାତ୍ରୀକୁ ପୁଲିସକୁ ହସ୍ତାନ୍ତର କରାଯାଇଛି ଏବଂ ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି। ବିମାନ ସକାଳ ୬.୫୨ରେ ଉଡ଼ାଣ ଆରମ୍ଭ କରିଥିବାବେଳେ ୯.୩୬ ସମୟରେ ଫେରି ଆସିଥିଲା।