ପବ୍‌ଜିର କୁପ୍ରଭାବ: ଅନ୍‌ଲାଇନ୍‌ ସାଥୀ ପାଇଁ ବିବାହିତା ଚାହୁଛନ୍ତି ଛାଡ଼ପତ୍ର

ଅହମଦାବାଦ: ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ମୋବାଇଲ୍‌ ‌େଲାକଙ୍କୁ ମାତ୍ରାଧିକ ଆସକ୍ତ କରିଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଗେମ୍‌ ବା ଅନ୍‌ଲାଇନ୍‌ ଖେଳରେ ଜଣେ ବିବାହିତା ମହିଳା ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ସେ ତାଙ୍କର ପବ୍‌ଜି ସାଥୀଙ୍କ ସହ ଜୀବନ ବିତାଇବାକୁ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଛନ୍ତି। ଏହି ଘଟଣା ବିଷୟରେ ଗୁଜରାଟ ରାଜ୍ୟ ପରାମର୍ଶ କେନ୍ଦ୍ର ଅଭୟମ ୧୮୧ର ଜଣେ ବରିଷ୍ଠ ପରାମର୍ଶଦାତା ସୂଚନା ଦେଇ କହିଛନ୍ତି, ମହିଳା ଜଣକ ଜଣେ ନିର୍ମାଣ ଠିକାଦାରଙ୍କୁ ବିବାହ କରିଥିଲେ ଏବଂ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ କିଛି ମାସ ତଳେ ସେ ଅନ୍‌ଲାଇନ୍‌ ଖେଳ ପବ୍‌ଜିରେ ଭାଗନେବା ଆରମ୍ଭ କରିଥିଲେ। ଘଣ୍ଟା ଘଣ୍ଟା ଧରି ସେଥିରେ ନିମଗ୍ନ ରହୁଥିଲେ। ଏହି ସମୟ ମଧ୍ୟରେ ପୋବ୍‌ଜି ମୋବାଇଲ୍‌ ଜରିଆରେ ମହିଳା ଜଣକ ସହରର ଜଣେ ଯୁବକ ସହ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ବିବାହିତା ମହିଳା ଜଣକ ତାଙ୍କ ପବ୍‌ଜି ସାଥୀଙ୍କ ସହ ଜୀବନ ବିତାଇବା ପାଇଁ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅଭୟମ ୧୮୧ ପ୍ରକଳ୍ପର ମୁଖ୍ୟ ନରେନ୍ଦ୍ରସିଂ ଗହୀ କହିଛନ୍ତି, ସାଧାରଣତଃ ପିଲାମାନେ ଏହି ଅନ୍‌ଲାଇନ୍‌ ଗେମ୍‌ରେ ବେଶୀ ସମୟ ନଷ୍ଟ କରୁଥିବା ଯୋଗୁଁ ମା’ମାନେ ଚିନ୍ତା ପ୍ରକଟ କରୁଥିବା ବେଳେ ଏହି ଘଟଣାରେ ନିଜେ ମା’ ଜଣକ ପବ୍‌ଜି ଖେଳ ଯୋଗୁଁ ଅବାଟରେ ଯିବା ବିସ୍ମୟକର। ମହିଳା ଜଣଙ୍କୁ ଅହମଦାବାଦ ସ୍ଥିତ ଏକ ଥଇଥାନ କେନ୍ଦ୍ରରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଦେଇଛନ୍ତି। କାରଣ ସେଠାରେ ମୋବାଇଲ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଉନାହିଁ। ନରେନ୍ଦ୍ର ସିଂ ଏହି ଖେଳର କୁପ୍ରଭାବ ବିଷୟରେ ସୂଚନା ଦେଇ କହିଛନ୍ତି, ପ୍ରତିଦିନ ପ୍ରାୟ ୫୫୦ ଜଣଙ୍କ ଫୋନ୍‌ ଆସୁଛି ତାଙ୍କ ପରାମର୍ଶ କେନ୍ଦ୍ରକୁ। ପ୍ରାୟ ୯୦ ପ୍ରତିଶତ ଘଟଣାରେ ପରାମର୍ଶଦାତାଙ୍କ ଏକ ଦଳ ଘରକୁ ଯାଇ ସୁଝାବୁଝା କରୁଛନ୍ତି। କିଛି ଦିନ ତଳେ ଆରବ ଆମିରାଟ୍‌ସର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପବ୍‌ଜିର ‘ବେଟେଲ ରୋୟାଲ୍‌’ ଖେଳ ଉପରେ କଟକଣା ଲଗାଇବା ପରେ ମହିଳା ଜଣକ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର