ରାସ୍ତା ଖାଲ ସାଜୁଛି ମରଣଯନ୍ତା : ୨୦୧୭ରେ ନେଇଛି ୩,୫୯୭ ମୁଣ୍ଡ

ନୂଆଦିଲ୍ଲୀ : ନିକଟରେ ମୁମ୍ବାଇର ଏକ ଦମ୍ପତି ମୋଟରସାଇକେଲରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଏକ ଖାଲ ପଡ଼ିବାରୁ ଗାଡ଼ିଟି ତଳେ ପଡ଼ିଯାଇଥିଲା। ମହିଳା ଜଣକ ଗାଡ଼ିରୁ ଛିଟିକି ପଡ଼ିବା ପରେ ଦ୍ରୁତ ବେଗରେ ଆସୁଥିବା ଏକ ବସ୍‌ ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ତେବେ କେବଳ ମୁମ୍ବାଇ ନୁହେଁ, ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ରାସ୍ତା ଅବସ୍ଥା ଶୋଚନୀୟ। ଏହି କାରଣରୁ ମୁମ୍ବାଇ ଭଳି ଦୁର୍ଘଟଣା ବଢ଼ିବାରେ ଲାଗିଛି। ରାସ୍ତା ଖାଲ ଏବେ ମରଣଯନ୍ତା ସାଜିଛି। ଆତଙ୍କବାଦୀ/ମାଓବାଦୀ ଆକ୍ରମଣରୁ ମଧ୍ୟ ଭୟାନକ ରୂପ ନେଇଛି। ଆତଙ୍କବାଦୀ/ମାଓବାଦୀ ଆକ୍ରମଣରେ ଯେତେ ଲୋକ ମରୁଛନ୍ତି ତାଠାରୁ ଅଧିକ ଲୋକ ମରୁଛନ୍ତି ରାସ୍ତା ଖାଲ ଯୋଗୁଁ। ଏକ ରିପୋର୍ଟ ଅନୁସାରେ ୨୦୧୭ରେ ରାସ୍ତା ଖାଲ ଦୁର୍ଘଟଣା ୩,୫୯୭ ମୁଣ୍ଡ ନେଇଛି। ୨୦୧୬ ତୁଳନାରେ ଏହା ପ୍ରାୟ ଦୁଇଗୁଣ ଅଧିକ। ୨୦୧୬ରେ ଏହି କାରଣରୁ ୨,୩୨୪ ଲୋକ ପ୍ରାଣ ହରାଇଥିଲେ।

ରିପୋର୍ଟ ଦର୍ଶାଇଛି ଯେ ଦେଶରେ ଆତଙ୍କବାଦୀ ଓ ମାଓବାଦୀ ଆକ୍ରମଣ ଯୋଗୁ ୨୦୧୭ରେ ମୋଟ ୮୦୩ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକଙ୍କ ସମେତ ଆତଙ୍କବାଦୀ ଓ ଯବାନ ରହିଥିଲେ। ଅନ୍ୟପକ୍ଷରେ ରାସ୍ତା ଖାଲ ଜନିତ ଦୁର୍ଘଟଣା ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ସରକାର ନୂଆ ସଡ଼କ ନିର୍ମାଣ ଓ ପୁରୁଣାର ମରାମତି କ୍ଷେତ୍ରରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଉଡ଼ାଉଥିଲେ ହେଁ, ସଡ଼କ ଅବସ୍ଥାରେ ସେମିତି ସୁଧାର ଦେଖିବାକୁ ମିଳୁନାହିଁ। ଏଥିପାଇଁ ଅନେକ କାରଣ ଦାୟୀ। କେତେକ କ୍ଷେତ୍ରରେ ଦୁର୍ନୀତିଖୋର ଅଧିକାରୀ ସଡ଼କ ନିର୍ମାଣରେ ସ୍ୱଚ୍ଛତା ଅବଲମ୍ବନ କରୁ ନ ଥିବା ବେଳେ ଆଉ କିଛି ଘଟଣାରେ ଲୋକଙ୍କ ଅସଚେତନତା ହିଁ ପ୍ରମୁଖ କାରଣ ସାଜୁଛି। ତେବେ ୨୦୧୭ରେ ହୋଇଥିବା ମୋଟ ୩,୫୯୭ ମୃତ୍ୟୁ ଘଟଣାରେ କେବଳ ଶୋଚନୀୟ ରାସ୍ତା ହିଁ ଦାୟୀ ବୋଲି ରିପୋର୍ଟ ସ୍ପଷ୍ଟ କରିଛି।

ରିପୋର୍ଟ ଅନୁସାରେ ୨୦୧୭ରେ ରାସ୍ତାରେ ସୃଷ୍ଟ ଖାଲ ଯୋଗୁ ସଂଘଟିତ ଦୁର୍ଘଟଣାରେ ଉତ୍ତର ପ୍ରଦେଶରେ ସର୍ବାଧିକ ୯୮୭ ଜଣ ପ୍ରାଣ ହରାଇଥିବା ବେଳେ ମହାରାଷ୍ଟ୍ରରେ ୭୨୬, ହରିୟାଣାରେ ୫୨୨ ଓ ଗୁଜରାଟରେ ୨୨୮ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ୨୦୧୬ରେ ଉତ୍ତର ପ୍ରଦେଶରେ ସର୍ବାଧିକ ୭୧୪ ଲୋକ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ର (୩୨୯), ଓଡ଼ିଶା (୨୦୮) ଓ ଆନ୍ଧ୍ର ପ୍ରଦେଶ (୧୩୧) ରହିଛନ୍ତି। ସେହିଭଳି ନିର୍ମାଣାଧୀନ ରାସ୍ତାରେ ବା ରାସ୍ତାପାର୍ଶ୍ୱରେ ହୋଇଥିବା ମୃତ୍ୟୁ ସଂଖ୍ୟା ଗତବର୍ଷ ୪,୨୫୦କୁ ବୃଦ୍ଧି ପାଇଛି, ଯାହା କି ୨୦୧୬ରେ ୩,୮୭୮ ରହିଥିଲା। ଏ ନେଇ ମତ ରଖି ସଡ଼କ ସୁରକ୍ଷା ବିଶେଷଜ୍ଞ ରୋହିତ ବାଲୁଜା କହିଛନ୍ତି, ଅଧିକାରୀମାନଙ୍କ ବେପରୁଆ ମନୋବୃତ୍ତି ଯୋଗୁ ଏଭଳି ଘଟଣା ବଢୁଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

ସମ୍ବନ୍ଧିତ ଖବର