ଆତଙ୍କୀଙ୍କ ପାଇଁ ଖରାପ ଦିନ ଆସୁଛି : ପଠାନକୋଟ୍‌ ଷ୍ଟେସନ୍‌ରେ ୬ ସନ୍ଦିଗ୍ଧ ଆତଙ୍କବାଦୀ ଅଟକ

ମାସକରେ ୩୨ ନିପାତ O ସ୍ଥାନୀୟ ଲୋକ ଖବର ଦେଉଛନ୍ତି O ଗାନ୍ଦରବଲ୍‌ ଜଙ୍ଗଲରେ ନୂଆ ଆଡ୍ଡା ଠାବ

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କ ପାଇଁ ଆଗକୁ ଖରାପ ଦିନ ଆସୁଛି। ସେମାନଙ୍କ ମନମୁଖି ଆଉ ଚଳିବ ନାହିଁ। ଏଣିକି ‌ସେମାନଙ୍କୁ ଖୋଜି ଖୋଜି ମାରିବ ଭାରତୀୟ ସୁରକ୍ଷା ବାହିନୀ। ସଦ୍ୟତମ ଘଟଣାଗୁଡ଼ିକରେ ଭାରତୀୟ ସେନାକୁ ବଡ଼ଧରଣର ସଫଳତା ମିଳିଛି। ମାସକ ମଧ୍ୟରେ ୩୨ ଆତଙ୍କବାଦୀଙ୍କୁ ନିପାତ କରାଯାଇ ସାରିଲାଣି। ବିପୁଳ ଅସ୍ତ୍ରଶସ୍ତ ଜବତ ମଧ୍ୟ ହୋଇଛି। ଆଗକୁ ଏହାଠାରୁ ବଡ଼ ସଫଳତା ମିଳିବ ବୋଲି ସେନା ପକ୍ଷରୁ ଆଶା କରାଯାଉଛି।
ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅଲ୍‌ ଆଉଟ୍‌ ଅପରେସନ୍‌ ଏଥିରେ ବିଶେଷ ଭାବେ ସହାୟକ ହେଉଛି। ଏହାବାଦ୍‌ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସୂଚନା। ବିଭିନ୍ନ ସୂତ୍ରରୁ ସୂଚନା ମିଳିବା ମାତ୍ରା ଏବେ ବୃଦ୍ଧି ପାଇଛି। ପୂର୍ବରୁ ଛୋଟ ଆତଙ୍କବାଦୀ ଗୋଷ୍ଠୀ ସମ୍ପର୍କରେ ସୂଚନା ମିଳୁଥିଲା। କିନ୍ତୁ ଏବେ ବଡ଼ ଗୋଷ୍ଠୀଙ୍କ ବାବଦରେ ଅଧିକ ତଥ୍ୟ ମିଳୁଛି। ବିଶେଷକରି ସ୍ଥାନୀୟ ଲୋକମାନେ ଏଥିରେ ସହାୟକ ହେଲେଣି। ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ସତ୍ତ୍ବେ ସେମାନଙ୍କ ବାବଦରେ ଲୋକେ ସୂଚନା ଦେଉନଥିଲେ। କିନ୍ତୁ ଏବେ ସେନା ଉପରେ ସେମାନଙ୍କ ବିଶ୍ବାସ ବଢ଼ିଛି। ଫଳସ୍ବରୂପ ସେମାନେ ଲଗାତାର ଭାବେ ଆତଙ୍କୀଙ୍କ ସମ୍ପର୍କରେ ସୂଚନା ଦେଉଛନ୍ତି। ଏହାକୁ ମୁଖ୍ୟ ଅସ୍ତ୍ର କରି ଭାରତୀୟ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କୁ ସଫା କରିବାରେ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। ଏହି ସୂଚନା ଆଧାରରେ ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ଆତଙ୍କବାଦୀଙ୍କର ଏକ ନୂଆ ଆଡ୍ଡା ଠାବ କରାଯାଇଛି। ଲୋକଙ୍କଠାରୁ ସୂଚନା ପାଇ ଜମ୍ମୁ କଶ୍ମୀର ପୁଲିସ ଓ ସୁରକ୍ଷା ବାହିନୀ ଏହାକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ସୂଚନା ମୁତାବକ ଗାନ୍ଦରବଲ୍‌ ଜଙ୍ଗଲରେ ଆତଙ୍କବାଦୀମାନେ ଆଡ୍ଡା କରି ରହିଛନ୍ତି।

ପଠାନକୋଟ୍‌ : ପଞ୍ଜାବର ପଠାନକୋଟ୍‌ ରେଳ ‌‌ଷ୍ଟେସନ୍‌ରେ ଆଜି ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୁଲିସ ଅଟକ ରଖିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଆଜି ସୁରକ୍ଷାକର୍ମୀମାନେ ପଠାନକୋଟ୍‌ ରେଳ ଷ୍ଟେସନ୍‌ରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଖାନ୍‌ ତଲାସି କରିଥିଲେ। ଏହି ସମୟରେ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଅଟକ ରଖିଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଏକ ମୋଟର ସାଇକେଲ୍‌ ମଧ୍ୟ ଜବତ ହୋଇଛି। ଉକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏବେ ପଞ୍ଜାବ ପୁଲିସ ସମେତ ଜମ୍ମୁ କଶ୍ମୀର ପୁଲିସ ଏବଂ କିଛି ଗୁଇନ୍ଦା ଅଧିକାରୀମାନେ ଜେରା କରୁଛନ୍ତି। ସେମାନେ ଦିଲ୍ଲୀରେ ଆକ୍ରମଣ ଯୋଜନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର