ମହିଳା କମିସନ ସଦସ୍ୟଙ୍କ ବିବାଦୀୟ ବୟାନ: ସନ୍ଧ୍ୟାରେ ଘରୁ ବାହାରି ନ ଥିଲେ ଅଙ୍ଗନବାଡ଼ି ଦିଦି ଦୁଷ୍କର୍ମର ଶିକାର ହୋଇନଥାନ୍ତେ

ବଦାୟୁଁ: ଗତକାଲି ୫୦ବର୍ଷୀୟା ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯିବ ଘଟଣାର ଖବର ସାମ୍ନାକୁ ଆସିଥିଲା। ମନ୍ଦିରର ପୂଜାରୀ ପିଶାଚ ସାଜି କରିଥିଲା ଦୁଷ୍କର୍ମ। ସାଥ ଦେଇଥିଲେ ଦୁଇ ସହଯୋଗୀ। ତେବେ ଏହି ଘଟଣାକୁ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇସାରିଥିବା ବେଳେ ଏତଲା ଗ୍ରହଣ କରି ନଥିବା ଏସଏଚଓଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏ ମଧ୍ୟରେ ମହିଳା କମିସନ ସଦସ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି।

ପୀଡ଼ିତାଙ୍କ ଘର ଲୋକଙ୍କୁ ଭେଟିବାକୁ ଯାଇଥିବା ମହିଳା କମିସନ ସଦସ୍ୟ କହିଛନ୍ତି ଯେ, ସନ୍ଧ୍ୟା ସମୟରେ ଘରୁ ବାହାରି ନଥିଲେ ଅଙ୍ଗନବାଡ଼ି ଦିଦି ଦୁଷ୍କର୍ମର ଶିକାର ହୋଇନଥାନ୍ତେ। ଜଣେ ମହିଳା ହୋଇ ଏଭଳି ବୟାନ ଦେବାଟା ତାଙ୍କୁ ଭାରୀ ପଡ଼ିଛି। ଏ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି।

ସୂଚନା ମୁତାବକ, ମହିଳା କମିସନ ସଦସ୍ୟ ଚନ୍ଦ୍ରାମୁଖୀଙ୍କୁ କମିସନ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ କୁହାଯାଇଥିଲା। ଭେଟିବା ପରେ ସେ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ ଯେ, ଜଣେ ମହିଳାକୁ ସମୟ ଉପରେ ନଜର ରଖିବା ଉଚିତ୍ ଏବଂ ବିଳମ୍ବରେ ବାହାରକୁ ଯିବା ଉଚିତ୍ ନୁହେଁ। ଯଦି ପୀଡିତା ସନ୍ଧ୍ୟାରେ ଏକୁଟିଆ ବାହାରକୁ ଯାଇ ନଥାନ୍ତେ କିମ୍ବା ପରିବାର ସଦସ୍ୟଙ୍କ ସହ ଯାଇ ଥାନ୍ତେ, ତେବେ ତାଙ୍କ ସହ ଏଭଳି ଘଟିନଥାନ୍ତେ।

ତେବେ ଏ ନେଇ ମହିଳା କମିସନର ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ପ୍ରଶ୍ନ କରାଯିବା ପରେ ସେ ଚନ୍ଦ୍ରମୁଖୀଙ୍କ ବୟାନ ବିଷୟରେ କିଛି ଜାଣିନଥିବା କହିଛନ୍ତି। ଏହା ସହ ଜଣେ ମହିଳା ଯେତେବେଳେ ଚାହିଁବ ଏବଂ ଜୁଆଡେ ଚାହିଁବ ଯାଇପାରିବ ବୋଲି ସେ କହିଛନ୍ତି।

NCW takes cognizance of Badaun gangrape, seeks reports from police - Crime News
India Today

ଉଲ୍ଲେଖଯୋଗ୍ୟ,ରବିବାର ଦିନ ସନ୍ଧ୍ୟା ୬ଟା ସମୟରେ ପୀଡ଼ିତା ମନ୍ଦିର ଯିବାକୁ ଘରୁ ବାହାରିଥିଲେ। ୨-୩ଘଣ୍ଟା ପରେ ପୀଡ଼ିତା ଘରକୁ ନ ଫେରିବାରୁ ପରିବାର ଲୋକେ  ତାଙ୍କୁ ଖୋଜାଖୋଜି ପରେ ନ ପାଇ ପୁଲିସ ଷ୍ଟେସନ ଯାଇଥିଲେ।  ମାତ୍ର ସେମାନଙ୍କ ଅଭିଯୋଗ ଗ୍ରହଣ କରା ନଯାଇ ଫେରାଇ ଦିଆଯାଇଥିଲା। ଏ ମଧ୍ୟରେ ମନ୍ଦିରର ପୂଜାରୀ ନିଜ ଦୁଇ ସାଥୀଙ୍କ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ପରେ ପୀଡ଼ିତାଙ୍କୁ ଡାକ୍ତରଖାନା ନେଇ ପହଞ୍ଚିଥିଲେ। କିନ୍ତୁ ସେଠାରେ ଡାକ୍ତର ପୀଡ଼ିତାଙ୍କୁ ମୃତ ଘୋଷଣା କରିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଆଣି ରାତି ୧୧ଟାରେ ତାଙ୍କ ଘର ବାହାରେ ଫିଙ୍ଗି ଚାଲିଯାଇଥିଲେ। ପରିବାର ଲୋକଙ୍କୁ ମୃତଦେହ ମିଳିବା ପରେ ସେମାନେ ପୁଣି ଥରେ ପୁଲିସ ଷ୍ଟେସନ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ କିଛି ନ ଶୁଣି ଫେରିଯିବାକୁ କହିଥିଲେ।

ପରେ ସୋମବାର ପୁଲିସ ଆସି ପୀଡ଼ିତାଙ୍କ ମୃତଦେହକୁ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇଥିଲା। ବ୍ୟବ‌ଚ୍ଛେଦ ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ସହ ତାଙ୍କ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଥିଲା। ଘଟଣାର ୧୮ଘଣ୍ଟା ପରେ ବ୍ୟବ‌ଚ୍ଛେଦ ର‌ିପୋର୍ଟ ଆସିବାରୁ ପୁଲିସ ଏତଲା ଲେଖିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର