ବେଦମନ୍ତ୍ର ଉଚ୍ଚାରଣ ପରେ ଖୋଲିଲା ବଦ୍ରିନାଥ ମନ୍ଦିର

ଚାମୋଲି: ପ୍ରଥମେ ଶୀତିଦିନିଆ ତୁଷାରପାତ ଓ ତା’ପରେ କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ବନ୍ଦ ଥିବା ଭଗବାନ ବଦ୍ରିନାଥଙ୍କ ମନ୍ଦିର ଶୁକ୍ରବାର ପ୍ରତ୍ୟୁଷରୁ ଖୋଲା ଯାଇଛି। ଏଥିପାଇଁ ପୂରା ମନ୍ଦିରକୁ ଫୁଲରେ ସଜା ଯାଇଥିଲା। ସକାଳ ୪.୩୦ରେ  ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ପରେ ମନ୍ଦିର ଖୋଲା ଯାଇଥିଲେ ହେଁ ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ଯିବାକୁ ଅନୁମତି ଦିଆ ଯାଇ ନ ଥିଲା। ସାମାଜିକ ଦୂରତାକୁ ପାଳନ କରି ମୁଖ୍ୟ ପୂଜକ ରାଓ୍ଵଲଙ୍କ ସହିତ ୨୭ଜଣ ଲୋକ ମନ୍ଦିର ଖୋଲା ହେବା ସମୟରେ ସେଠାରେ ଉପସ୍ଥିତ ରହିଥିଲେ।

ତେବେ ଏଭଳି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଛି କି, ବାବା ବଦ୍ରିନାଥଙ୍କ ମନ୍ଦିର ଖୋଲା ଯିବା ସମୟରେ ଏତେ କମ୍‌ ସଂଖ୍ୟାରେ ଲୋକ ସେଠାରେ ଉପସ୍ଥିତ ରହିଥିଲେ। ସର୍ବପ୍ରଥମେ ବଦ୍ରିନାଥ ମନ୍ଦିରର ସିଂହଦ୍ୱାରକୁ ଖୋଲା ଯାଇଥିଲା। ଏହି ସମୟରେ ଉଚ୍ଚ ସ୍ୱରରେ ପୂଜାରୀ ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ। ଦ୍ୱାରରେ ପଡ଼ିଥିବା ତାଲାକୁ ଦେବସ୍ଥାନମ ବୋର୍ଡ ଦ୍ୱାରା ଖୋଲା ଯାଇଥିଲା।

Sacred Portals of Badrinath Temple Open Amid Lockdown, First Puja ...

ଏହାପରେ ମନ୍ଦିର ଗର୍ଭଗୃହର ଦ୍ୱାର ଖୋଲାଯାଇଥିଲା। ଦୀର୍ଘଦିନ ପରେ ମନ୍ଦିର ଖୋଲିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ବାବା ବଦ୍ରିନାଥଙ୍କ ଦର୍ଶନ କରି ଖୁବ୍‌ ଶୀଘ୍ର ଏହି କରୋନା ମହାମାରୀର ନିପାତ ହେଉ ସେ ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଥମ ପୂଜା କରାଯାଇଥିଲା।

ବଦ୍ରନାଥ ମନ୍ଦିର ପୂର୍ବରୁ ଏପ୍ରିଲ ୨୯ ତାରିଖରେ ବିଶ୍ୱ ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଖୋଲା ଯାଇଥିଲା। ସେହିପରି ଏପ୍ରିଲ ୨୬ ତାରିଖରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରକୁ ଅକ୍ଷୟ ତୃତୀୟ ଅବସରରେ ମନ୍ତ୍ର ଉଚ୍ଚାରଣ ଓ ପୂଜା ଅର୍ଚ୍ଚନା ପରେ ଖୋଲା ଯାଇଥିଲା।

ସମ୍ବନ୍ଧିତ ଖବର