ଜମ୍ମୁ : ଜମ୍ମୁ ରେଳ ଷ୍ଟେସନରୁ ଆଜି ଏକ ସଂଦିଗ୍ଧ ବ୍ୟାଗ୍ ମିଳିଛି । ସେଥିରୁ କିଛି ବିସ୍ଫୋରକ ଓ ୧୮ଟି ଡିଟୋନେଟର ଜବତ ହୋଇଛି ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ।
ରେଳବାଇ ପୁଲିସର ଏସଏସପି ଆରିଫ ରିସୁ କହିଛନ୍ତି ଯେ ଜମ୍ମୁ ରେଳ ଷ୍ଟେସନର ଟାକ୍ସି ଷ୍ଟାଣ୍ଡରେ ଏକ ସଂଦିଗ୍ଧ ବ୍ୟାଗ ରଖାଯାଇଥିବା ଖବର ମିଳିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା । ବୋମା ନିରୋଧୀ ସ୍କ୍ବାର୍ଡ ପକ୍ଷରୁ ବ୍ୟାଗକୁ ଖୋଲାଯିବା ପରେ ସେଥିରୁ ୨ଟି ବାକ୍ସରେ କେତେକ ବିସ୍ଫୋରକ ମିଳିଥିଲା । ବିସ୍ଫୋରକ ଗୁଡ଼ିକର ଓଜନ ପ୍ରାୟ ୫୦୦ ଗ୍ରାମ ହେବ । ଏହା ଛଡ଼ା ସେହି ବ୍ୟାଗରୁ ୧୮ଟି ଡିଟୋନେଟର ଓ କିଛି ତାର ମିଳିଥିଲା । ଏସବୁ ସାମଗ୍ରୀକୁ ଜବତ କରାଯିବା ସହ ତଦନ୍ତ କରାଯାଉଥିବା ସେ କହିଛନ୍ତି ।
ଏସବୁ ବିସ୍ଫୋରକ ଜମ୍ମୁ ଷ୍ଟେସନକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଅଣାଯାଇଥିବା ପୁଲିସ ସଂଦେହ କରୁଛି । ବୈଷ୍ଣୋଦେବୀ ଯାତ୍ରୀମାନେ ଏହି ଷ୍ଟେସନରେ ଓହ୍ଲାଉଥିବାରୁ ବର୍ଷର ସବୁ ସମୟରେ ଏହି ଷ୍ଟେସନରେ ଭିଡ଼ ଥାଏ । ଏଣୁ ସମୟ ପୂର୍ବରୁ ଏହି ବ୍ୟାଗକୁ ଜବତ କରାଯିବା ଦ୍ବାରା ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି ।
ବିସ୍ଫୋରକ ମିଳିବା ପରେ ଜମ୍ମୁ ରେଳ ଷ୍ଟେସନର ସୁରକ୍ଷାକୁ ବଢାଇ ଦିଆଯାଇଛି । ଷ୍ଟେସନରେ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇଛି ଓ ଯାତ୍ରୀଙ୍କ ବ୍ୟାଗଗୁଡ଼ିକୁ ଯାଞ୍ଚ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Jammu-Tawi-railwaystation.jpg)