ଅର୍ଣ୍ଣବଙ୍କ ଆଳାପର ସୁପ୍ରିମକୋର୍ଟ ତଦନ୍ତ ଦାବିକଲେ ବାଘେଲ୍‌

ରାୟପୁର(ଛତିଶଗଡ଼): ରିପବ୍ଳିକ୍‌ ଭାରତ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ବ୍ରଡ୍‌କାଷ୍ଟ୍‌ ଅଡ଼ିଆନ୍ସ ରିସର୍ଚ୍ଚ କାଉନ୍‌ସିଲ(ବାର୍କ)ର ପ୍ରାକ୍ତନ ମୁଖ୍ୟ ପାର୍ଥ ଦାସଗୁପ୍ତାଙ୍କ ଭିତରେ ହ୍ବାଟ୍‌ସଆପ୍‌ରେ ହୋଇଥିବା ବାର୍ତ୍ତାଳାପର ତଦନ୍ତ ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ କରାଇବା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦାବି କରିଛନ୍ତି। ସୂଚନା ଥାଉ କି, ଗଣମାଧ୍ୟମରେ ଭୀଷଣ ଆଲୋଚିତ ହୋଇଥିବା ଏହି ବାର୍ତ୍ତାଳାପରେ ଅର୍ଣ୍ଣବ ଏକ ସମ୍ବେଦନଶୀଳ ଗୁପ୍ତ ପ୍ରସଙ୍ଗ ପ୍ରଘଟ କରିଥିଲେ। ୨୦୧୯ ମସିହାରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଚଳାଇଥିବା ବିମାନ ଆକ୍ରମଣ ଘଟଣା ଜାତୀୟ ସୁରକ୍ଷା ସହ ଜଡ଼ିତ ବୋଲି ଶ୍ରୀ ବାଘେଲ କହିଛନ୍ତି। ଦେଶର ଏଭଳି ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧିତ ତଥା ସବୁଠୁ ଗୋପନୀୟ ପ୍ରସଙ୍ଗ କିପରି ଅର୍ଣ୍ଣବଙ୍କ ପରି ଜଣେ ସାମ୍ବାଦିକଙ୍କୁ ଜଣା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଏହା ସତରେ ଘଟିଛି, ତେବେ ଦେଶର ନ୍ୟାୟପାଳିକା ଓ ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ଆପଣା ଛାଏଁ ଘଟଣାର ତଦନ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅର୍ଣ୍ଣବ ଏ ସମ୍ପର୍କରେ କିପରି ଜାଣିଲେ ବୋଲି ମଧ୍ୟ କେନ୍ଦ୍ର ସରକାର କୈଫିୟତ ଦେବା ଜରୁରୀ। ତେଣୁ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘଟଣାର ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର