ପୁଣି ମିଶିବ କି ବଘେଲ ଓ ସିଂହଦେଓଙ୍କ ମନ: ଆଜି ଦିଲ୍ଲୀରେ ଦୁହିଁଙ୍କୁ ବୁଝାଇବେ ହାଇକମାଣ୍ଡ

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀ ଟି.ଏସ୍ ସିଂହଦେଓଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରବିବାର ଦିନ ଏହି ଦୁଇ ନେତା କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ। ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନେତୃତ୍ୱ ପାଖରେ ମନ୍ତ୍ରୀ ସିଂହଦେଓ ତାଙ୍କର ମତଭେଦ ପ୍ରସଙ୍ଗ ଉଠାଇବେ | ସିଂହଦେଓ ନିକଟରେ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ | ତେବେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରଣନୀତି ବୈଠକରେ ଯୋଗଦେବା ପାଇଁ ବଘେଲ ଦିଲ୍ଲୀରେ ଅଛନ୍ତି।

ଚଳିତ ବର୍ଷ ଶେଷରେ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସେ ମୁଖ୍ୟ ପର୍ଯ୍ୟବେକ୍ଷକ ହୋଇଥିବାବେଳେ ଆଜି ସିଂହଦେଓ ମଧ୍ୟ ଭୋପାଳରୁ ଦିଲ୍ଲୀ ଯାଇ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟିବେ। ସୂଚନା ଥାଉ କି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଚାରି ପୃଷ୍ଠାର ଇସ୍ତଫା ପତ୍ରରେ ସିଂହଦେଓ ଦାବି କରିଥିଲେ ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଇସ୍ତାହାର ଅନୁଯାୟୀ ଗ୍ରାମୀଣ ବିକାଶ ବିଭାଗ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ କରିବାରେ ସେ ଅସମର୍ଥ।

ତେବେ ଜୁନ୍ ୨୦୨୧ ରେ, ବଘେଲ ମୁଖ୍ୟମନ୍ତ୍ରୀ ଭାବରେ ଅଢେଇ ବର୍ଷ ପୂରଣ କରିବା ପରେ ବଘେଲ ଏବଂ ସିଂହଦେଓଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା ​​| ସିଂହଦେଓଙ୍କ ସମର୍ଥକମାନେ ଦାବି କରିଥିଲେ ଯେ, ବଘେଲ ୨୦୧୮ ମସିହାରେ କଥା ଦେଇଥିଲେ ଯେ ଅଧା କାର୍ଯ୍ୟକାଳ ପୂରଣ କରିବା ପରେ ସେ (ସିଂହଦେଓ) ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ | ତେବେ ଉଭୟ ନେତା ଦିଲ୍ଲୀ ଆସି ଦଳର ହାଇକମାଣ୍ଡଙ୍କୁ ଭେଟିବା ପରେ ସିଂହଦେଓ ଆଉ ଏହି ପ୍ରସଙ୍ଗ ଉଠାଇନଥିଲେ | କିନ୍ତୁ ତାଙ୍କ ମନ ଭିତରେ କ୍ଷୋଭ ରହିଥିଲା |

ସମ୍ବନ୍ଧିତ ଖବର