ରାୟପୁର: ଛତିଶଗଡ଼ର ଯଶପୁରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏକ କାର ଶୋଭାଯାତ୍ରାରେ ଲୋକମାନଙ୍କ ଉପରେ ଚଢିଯିବା ମାମଲାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଞ୍ଜେଇ ଉତ୍ପାଦନ ଉପରେ କଡା ପଦକ୍ଷେପ ନେବାକୁ ବାଘେଲ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ପ୍ରାୟତଃ ଦେଖାଯାଇଛି ଯେ ମହାସମୁନ୍ଦ, ବସ୍ତର, ରାୟଗଡ ଅଞ୍ଚଳରେ ଚାଲାଣ ହେଉଥିବା ଗଞ୍ଜେଇ ଓଡିଶାରୁ ଆସୁଛି । ଓଡ଼ିଶାରୁ ଗଞ୍ଜେଇ ଚାଲାଣକାରୀମାନେ ଗଞ୍ଜେଇ ଅନ୍ୟ ରାଜ୍ୟକୁ ମଧ୍ୟ ଚାଲାଣ କରୁଛନ୍ତି |

Advertisment

ଏହି ପ୍ରସଙ୍ଗରେ ଓଡ଼ିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଏହି ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଭୁପେଶ ବାଘେଲ କହିଛନ୍ତି ଯେ ଦୁର୍ଘଟଣା ଘଟାଇଥିବା କାରଟି ମଧ୍ୟପ୍ରଦେଶର ହୋଇଥିବାବେଳେ ଚାଲାଣକାରୀମାନେ ମଧ୍ୟ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏହି କାରଟି ଓଡ଼ିଶାରୁ ଗଞ୍ଜେଇ ନେଇ ମଧ୍ୟପ୍ରଦେଶ ଯାଉଥିଲା। ସେ କହିଛନ୍ତି, ମଧ୍ୟପ୍ରଦେଶ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍। ସୂଚନା ଥାଉ କି ଗତ ଶୁକ୍ରବାର ଦିନ ଛତିଶଗଡ଼ରେ ଏକ ଧାର୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ଏକ ଦ୍ରୁତଗାମୀ କାର୍‌ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ି ଯାଇଥିଲା।

ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଥିଲେ । ପୁଲିସ ଅନୁଯାୟୀ, ଛତିଶଗଡ଼ର ଯଶପୁରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏହି ଅଘଟଣ ଘଟିଥିଲା । ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍‌ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଛି। ଅନ୍ୟ ୧୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ସହର ଉପକଣ୍ଠରୁ ପୁଲିସ ଗିରଫ କରିଥିଲା । ସେମାନେ ହେଉଛନ୍ତି ପଡ଼ୋଶୀ ମଧ୍ୟପ୍ରଦେଶର ସିଂଗ୍ରାଉଲି ବାସିନ୍ଦା ବବ୍‌ଲୁ ବିଶ୍ବକର୍ମା (୨୧) ଓ ଶିଶୁପାଳ ସାହୁ (୨୬)।