ବାହାରିନ୍‌ : ବାହାରିନ୍‌ରେ ବସବାସ କରୁଥିବା ପ୍ରବାସୀ ଶ୍ରମିକ ଓ ଅଧିକାରୀଙ୍କ ସାମାଜିକ, ବୃତ୍ତିଗତ ଓ ସ୍ବାସ୍ଥ୍ୟଗତ ସୁରକ୍ଷା ଦିଗରେ ଦ୍ୱିରାଷ୍ଟ୍ରୀୟ ପଦକ୍ଷେପ ନେବାକୁ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କୁ ଦାବି କରିଛି ବାହାରିନ୍‌ ଓଡ଼ିଆ ସମାଜ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁରଲୀଧରନ୍‌ ଏବେ ବାହାରିନ୍‌ ଗସ୍ତରେ ଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ତାଙ୍କୁ ସାକ୍ଷାତ କରି ଏହି ଦାବି କରିଛନ୍ତି। ଏହି ଆଲୋଚନାରେ ବାହାରିନ୍‌ରେ ଅବସ୍ଥାପିତ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ, ଯୁଗ୍ମସଚିବ ବିପୁଲ ଜୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଡ. ପ୍ରହରାଜ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଆ ସମାଜର ସାଙ୍ଗଠନିକ ଭିତ୍ତିଭୂମି ଓ ଭୂମିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଡ. ପ୍ରହରାଜ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଆ ତାରକସି ଶୈଳୀରେ ପ୍ରସ୍ତୁତ କୋଣାର୍କ ଚକ୍ରର ରୁପା ପ୍ରତିକୃତି ପ୍ରଦାନ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ୨୪ ବର୍ଷ ତଳେ (୧୯୯୭ ମସିହାରେ) ୬ଟି ପରିବାରକୁ ନେଇ ବାହାରିନ୍‌ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ସମାଜ ଆଜିର ଦିନରେ ୧୭୮ଟି ପରିବାର ଓ ୨ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସମୃଦ୍ଧ ଓଡ଼ିଆ ଅନୁଷ୍ଠାନ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।