ମେରଟ: ସିଙ୍ଗଡ଼ା ଖାଆନ୍ତୁ ଆଉ ୭୧ ହଜାର ଟଙ୍କା ପାଆନ୍ତୁ | କଥାଟି ଶୁଣି ଆପଣଙ୍କ ପାଟିରୁ ଲାଳ ଗଡ଼ିଲାଣି କି? ଆପଣ ଭାବୁଛନ୍ତି କି ସିଙ୍ଗଡ଼ା ସହ ୭୧ ହଜାର ଟଙ୍କା ବି ମିଳିବ | ବାସ୍ତବରେ ଉତ୍ତରପ୍ରଦେଶର ମେରଟରେ ବର୍ତ୍ତମାନ 'ବାହୁବଲୀ' ସିଙ୍ଗଡ଼ା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି | ଆଳୁ, ମଟର, ମସଲା, ପନିରରୁ ତିଆରି ଏହି ସିଙ୍ଗଡ଼ା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି | ୩୦ ମିନିଟରେ ଏହି ସିଙ୍ଗଡ଼ାକୁ ଖାଉଥିବା ବ୍ୟକ୍ତିଙ୍କୁ ୭୧,୦୦୦ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଛି। ଲାଲକୁର୍ତ୍ତୀ ଅଂଚଳରେ ଥିବା କୌଶଳ ସ୍ବୀଟ୍ସ ନାମକ ଏକ ଦୋକାନର ମାଲିକ ଶୁଭମ୍ କୌଶଳ ଏଭଳି ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ସିଙ୍ଗଡ଼ା ପ୍ରତି ଲୋକଙ୍କର ଆକର୍ଷଣ ବଢାଇବାକୁ ସେ ଏଭଳି ଘୋଷଣା କରିଛନ୍ତି |

Advertisment

ଏହି ସିଙ୍ଗଡ଼ାର ଓଜନ ୧୨ କିଲୋଗ୍ରାମ ହୋଇଥିବାବେଳେ ଏବେ ଲୋକମାନେ ନିଜ ଜନ୍ମଦିନରେ ପାରମ୍ପରିକ କେକ କାଟିବା ବଦଳରେ 'ବାହୁବଲୀ' ସିଙ୍ଗଡ଼ା କାଟୁଛନ୍ତି | ସେ କହିଛନ୍ତି ଯେ ଯଦି କେହି ୩୦ ମିନିଟରେ ଏହାକୁ ସମ୍ପୂର୍ଣ୍ଣ ଖାଇଦେବେ ତେବେ ତାଙ୍କୁ ୭୧,୦୦୦ ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ | କୁଶଳୀ ରୋଷେଇଆମାନେ ଏହି ସିଙ୍ଗଡ଼ା ପ୍ରସ୍ତୁତ କରିବାକୁ ପ୍ରାୟ ଛଅ ଘଣ୍ଟା ସମୟ ନେଇଥାନ୍ତି | କୌଶଳ ଆହୁରି ମଧ୍ୟ କହିଛନ୍ତି, “ଆମର ବାହୁବଲୀ ସିଙ୍ଗଡ଼ା ସୋସିଆଲ ମିଡିଆ ତଥା ଖାଦ୍ୟ ବ୍ଲଗରମାନଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସ୍ଥାନୀୟ ଲୋକଙ୍କ ବ୍ୟତୀତ ଦେଶର ଅନ୍ୟ ପ୍ରାନ୍ତର ଲୋକମାନେ ମଧ୍ୟ ଏହି ସିଙ୍ଗଡ଼ା ବିଷୟରେ ଆମକୁ ପଚାରୁଛନ୍ତି | ପ୍ରଥମେ ଆମେ ଚାରି କିଲୋଗ୍ରାମ ଏବଂ ତା’ପରେ ଆଠ କିଲୋଗ୍ରାମ ଓଜନର ସିଙ୍ଗଡ଼ା ତିଆରି କରି ଆରମ୍ଭ କଲୁ | ଏହା ପରେ, ଆମେ ଗତ ବର୍ଷ ୧୨ କିଲୋଗ୍ରାମ ଓଜନର ସିଙ୍ଗଡ଼ା ପ୍ରସ୍ତୁତ କରିଥିଲୁ | ୧୨ କିଲୋଗ୍ରାମ ସିଙ୍ଗଡ଼ାର ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ହୋଇଥିବାବେଳେ ଏପର୍ଯ୍ୟନ୍ତ ବାହୁବଲୀ ସାମୋସା ପାଇଁ ପ୍ରାୟ ୪୦ ରୁ ୫୦ଟି ଅର୍ଡର ପାଇଛନ୍ତି।