ବିଜେପି ଛାତି ଧଡ଼ଧଡ଼ ୧୧ରୁ ୧୦ରେ ପରାସ୍ତ

ଉପ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ

ନୂଆଦିଲ୍ଳୀ: ୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଐତିହାସିକ ସଫଳତା ହାସଲ କରିଥିବା ବିଜେପିକୁ ଉପନିର୍ବାଚନରେ କେବଳ ନିରାଶାର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୧୪ ପରେ ଯେତେ ଲୋକସଭା ଉପନିର୍ବାଚନ ହୋଇଛି ସେଥିରେ ପରାସ୍ତ ହୋଇ ବିଜେପି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ବର୍ତମାନ ସୁଦ୍ଧା ହୋଇଥିବା ଲୋକସଭାର ୧୧ଟି ଆସନର ଉପନିର୍ବାଚନରେ କେବଳ ଗୋଟିଏରେ ବିଜେପି ଜିତିଥିବା ବେଳେ ଅନ୍ୟ ସମସ୍ତ ୧୦ଟି ଆସନରେ ପରାଜୟ ବରଣ କରିଛି। ପ୍ରଧାନମନ୍ତ୍ରୀ ମୋଦି ଖାଲି କରିଥିବା ଗୁଜରାଟର ଭଦୋଦ୍ରା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ୨୦୧୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିଲା। ଆଜିର ଉତ୍ତର ପ୍ରଦେଶ ଏବଂ ବିହାରର ଲୋକସଭା ଆସନରେ ପରାଜୟ ସହିତ ବିଜେପିର ସଭ୍ୟସଂଖ୍ୟା ୨୭୪କୁ ଖସି ଆସିଛି। ଅର୍ଥାତ ଏହା ୮ଟି ଆସନ ହରାଇଛି। ଏବେ ବି ଲୋକସଭାର ଆହୁରି ୫ଟି ଆସନ ଖାଲି ପଡ଼ିଛି। ସାଧାରଣ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ହୋଇଥିଲା ଗୁଜରାଟର ଭଦୋଦ୍ରାରେ। ବାରଣାସୀ ଓ ଭଦୋଦ୍ରାରୁ ବିଜୟୀ ହୋଇଥିବା ମୋଦି ଭଦୋଦ୍ରା ଆସନ ଛାଡ଼ି ଦେଇଥିଲେ। ସେ ୫ ଲକ୍ଷ ୭୦ ହଜାର ଅଧିକ ଭୋଟ ପାଇ ଭଦୋଦ୍ରା ଜିତିଥିଲେ। ସେହିବର୍ଷ ସେପଟେମ୍ବରରେ ଏଠାରେ ଉପନିର୍ବାଚନ ହୋଇଥିଲା। ଏହାଥିଲା ପ୍ରଥମ ଉପନିର୍ବାଚନ। ଏଥିରେ ବିଜେପି ପ୍ରାର୍ଥୀ ୩ ଲକ୍ଷ ୨୯ ହଜାର ଅଧିକ ଭୋଟ ପାଇ କଂଗ୍ରେସକୁ ହରାଇଥିଲେ। ତେବେ ଏହାପରେ ଯେତେ ଉପନିର୍ବାଚନ ହୋଇଛି ସେଥିରେ ବିଜେପିକୁ ପରାଜୟର ସାମନା କରିବାକୁ ପଡ଼ିଛି। ୨୦୧୫ ନଭେମ୍ବରରେ ମଧ୍ୟ ପ୍ରଦେଶର ରତଲାମ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ ବିଜୟୀ ହୋଇଥିଲା। (୨୦୧୪ରେ ବିଜେପି ଏଠାରେ ବିଜୟୀ ହୋଇଥିଲା।) ଏହିଠାରୁ ଆରମ୍ଭ ହୋଇଥିଲା ବିଜେପିର ପରାଜୟ ଧାରା। ଏହାପରେ ୨୦୧୭ରେ ଶ୍ରୀନଗର, କେରଳର ମାଲାପୁରମ ଏବଂ ପଞ୍ଜାବର ଗୁରୁଦାସପୁରରେ ହୋଇଥିଲା ଉପନିର୍ବାଚନ। ଶ୍ରୀନଗରରେ ନେସନାଲ କନଫେରେନ୍ସ ପ୍ରାର୍ଥୀ ଫାରୁକ ଅବଦୁଲ୍ଲା ବିଜେପି-ପିଡିପି ପ୍ରାର୍ଥୀଙ୍କୁ ହରାଇଥିଲେ। ମାଲାପୁରମରେ ମୁସଲିମ ଲିଗ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଠାରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ସେହିଭଳି ବିଜେପି ନେତା ତଥା ଅଭିନେତା ବିନୋଦ ଖନ୍ନାଙ୍କ ପରଲୋକ ଯୋଗୁଁ ଗୁରୁଦାସପୁରରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେପି ଏଠାରେ ପ୍ରାୟ ୨ ଲକ୍ଷ ଭୋଟରେ ହାରିଥିଲା।

ଚଳିତ ବର୍ଷ ୫ଟି ଆସନରେ ଉପନିର୍ବାଚନ ହୋଇଛି। ଫେବ୍ରୁଆରୀ ମାସରେ ରାଜସ୍ଥାନର ଅଜମୀର, ଅଲଓ୍ଵର ଏବଂ ପଶ୍ଚିମ ବଙ୍ଗର ଉଲୁବେରିଆରେ ଉପନିର୍ବାଚନ ହୋଇଥିଲା। ତିନିଟିରେ ବିଜେପି ହାରିଥିଲା। ଅଜମୀର ଓ ଅଲଓ୍ଵରରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଉଲୁବେରିଆରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୪ ଲକ୍ଷ ୭୪ ହଜାର ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।
ଆଜି ଉତ୍ତର ପ୍ରଦେଶ ଏବଂ ବିହାରରେ ମଧ୍ୟ ବିଜେପିକୁ ସମଦଶା ଭୋଗିବାକୁ ପଡ଼ିଛି। ଉତ୍ତର ପ୍ରଦେଶର ଗୋରଖପୁର ଓ ଫୁଲପୁରରେ ବିଜେପି ସମାଜବାଦୀ ପାର୍ଟି ଠାରୁ ହାରିଥିବା ବେଳେ ବିହାରର ଅରାରିଆରେ ଆରଜେଡି ଠାରୁ ପରାସ୍ତ ହୋଇଛି। ଏହି ଉପନିର୍ବାଚନ ପଳାଫଳ ବିଜେପିର ଚିନ୍ତା ବଢ଼ାଇଦେଇଛି। ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ଭଳି କ୍ଷୁଦ୍ର ରାଜ୍ୟରେ ବିଜୟ ନେଇ ଉଲ୍ଲସିତ ଥିବା ବିଜେପି ନେତାମାନେ ସ୍ତବ୍ଧ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଜିର ଫଳାଫଳ ସେମାନଙ୍କର ନିଦ ହଜାଇଦେଇଛି। ମୋଦିଙ୍କ ଗୁଜରାଟରେ ପରାଜୟରୁ ଅଳ୍କକେ ବର୍ତିଯାଇଥିଲା ବିଜେପି। ଏହାକୁ ବି ଭୁଲି ନାହାନ୍ତି ଦଳୀୟ ନେତା। ସେପଟେ ବିରୋଧୀ ଦଳ ଏକାଠି ହେଉଥିବାରୁ ୨୦୧୯ ନିର୍ବାଚନ ଜିତିବା ଏତେ ସହଜ ହେବନାହିଁ। ୟୁପିରେ ମେଣ୍ଟ ହାତରେ ପରାଜୟ ସେମାନଙ୍କ ପାଇଁ ସତର୍କ ଘଣ୍ଟି ବୋଲି କେତେକ ବିଜେପି ନେତା ଆଜି ସ୍ୱୀକାର କରିଛନ୍ତି। ୨୦୧୫ରେ ବିହାର ଲାଲୁ-ନୀତୀଶ ମେଣ୍ଟ ହାତରେ ଏଭଳି ଦଶା ଭୋଗିଥିଲା ବିଜେପି। ଏହାକୁ ଦୃଷ୍ଟିରେ ରଖି ବିଜେପି ଏହାର ରଣନୀତି ବଦଳାଇବାକୁ ଗୁରୁତର ସହ ବିଚାର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର