ନୂଆଦିଲ୍ଲୀ : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପିରେ ବିଧିବଦ୍ଧଭାବେ ଯୋଗ ଦେଇଛନ୍ତି ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବୈଜୟନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ବୈଜୟନ୍ତ ଯୋଗ ଦେବା ନେଇ ବିଜେପିର ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସାମ୍ବାଦିକମାନଙ୍କ ନିକଟରେ ଘୋଷଣା କରିଥିଲେ। ଏହାପରେ ବୈଜୟନ୍ତଙ୍କୁ ସଦସ୍ୟତା ତଥା‌ ଦଳୀୟ ଚିହ୍ନ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ନେତା କେଭି ସିଂହଦେଓ ତଥା ବିଜେପି ରାଜ୍ୟସଭା ସଦସ୍ୟ ଓ ମିଡିଆ ଇନଚାର୍ଜ ଅନିଲ ବେଲୁନୀ ବୈଜୟନ୍ତଙ୍କୁ ସ୍ବାଗତ କରିଥିଲେ।

Advertisment

ବିଜେପି ମୁଖ୍ୟାଳୟର ମିଡିଆ ରୁମ୍‌ରେ ଆୟୋଜିତ ସଂକ୍ଷିପ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବାପରେ ବୈଜୟନ୍ତ ଆଜି ବିଜେଡିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଓଡ଼ିଶାରେ କିଛିଦିନ ହେବ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ମହିଳା ଓ ଶିଶୁମାନଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଇବା‌ରେ ଲାଗିଛି ଏବଂ ଅପରାଧ ମଧ୍ୟ ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା ‌କରି ସେ କହିଥିଲେ ଯେ ଦେଶର ଦୀର୍ଘସୂତ୍ରୀ ସ୍ବାର୍ଥ ପାଇଁ ପ୍ରଧାନମନ୍ତ୍ରୀ କଠୋର ନିଷ୍ପତ୍ତି ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ବକୁ ସେ ଗ୍ରହଣ କରୁଛନ୍ତି ବୋଲି କହିଥିଲେ। ବିଜେପି ଓଡ଼ିଶାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ଆଗକୁ ନେଇପାରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ। ପୂର୍ବରୁ ବିଜେପି ସହ ବିଜେଡିର ମେଣ୍ଟ ସରକାର ଥିବାବେଳେ ଏକ ନିର୍ଦ୍ଦିଷ୍ଟ ନୀତିରେ ସରକାର ଚାଲୁଥିଲା ମାତ୍ର ତାହା ଏବେ ନାହିଁ ବୋଲି ବୈଜୟନ୍ତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଞ୍ଚଳିକ ଦଳ ଗଠନ ସମୟରେ ବିଜେପିରେ ଯୋଗଦେବା କଥା ଚିନ୍ତା କରିିଥିଲି। ମାତ୍ର, ସେଠାରେ ପହଞ୍ଚିବା ପାଇଁ ୨୨ ବର୍ଷ ବିତିଗଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ବୈଜୟନ୍ତଙ୍କ ଯୋଗଦାନ ଯୋଗୁଁ ଆଜି ଏକ ନୂଆ ବଳ ଯୋଡ଼ି ହୋଇ ଯାଇଛି। ବୈଜୟନ୍ତଙ୍କ ଯୋଗଦାନ ବିଜେପି କୁ ଓଡ଼ିଶାରେ ଆହୁରି ମଜବୁତ କରିବ ଏବଂ ସେ ଦଳ ପାଇଁ ପୁଂଜି ହେବେ। ବୈଜୟନ୍ତ ଗତ ୨୦ ବର୍ଷ ହେବ ସଂସଦରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ବୋଲି ଧର୍ମେନ୍ଦ୍ର କହିଛ ନ୍ତି। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍‌ କହିଛନ୍ତି, ବୈଜୟନ୍ତଙ୍କ ଯୋଗଦାନ ଯୋଗୁଁ ଦଳ ସଶକ୍ତ ହେବ। ବିଜେପିରେ ଯୋଗଦେବା ପରେ ବୈଜୟନ୍ତ ଦଳର ମୁଖ୍ୟାଳୟରେ ସଭାପତି ଅମିତ ଶାହଙ୍କୁ ଭେଟିଥିଲେ।