ଆରୟନଙ୍କ ପାଖରେ ଡ୍ରଗ୍ସ ନଥିଲା ଓ ସେ ସେବନ କରିନଥିଲେ, ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି : ମୁକୁଲ ରୋହତଗୀ

ନୂଆଦିଲ୍ଲୀ : ଆଜି ବମ୍ବେ ହାଇକୋର୍ଟରେ ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି । ଆରୟନଙ୍କ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଆରୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ, ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ । ଏଣୁ ତାଙ୍କ ଗିରଫଦାରି ବେଆଇନ ।

ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ହ୍ବାଟ୍ସଆପ ଚାଟ ୨୦୧୮, ୨୦୧୯ ଓ ୨୦୨୦ର । ସେଗୁଡ଼ିକ କ୍ରୁଡ ପାର୍ଟି ସହ ସଂପର୍କିତ ନୁହେଁ ।

ଅନ୍ୟପକ୍ଷରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ମୁମ୍ବାଇ ଜୋନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େ ନୂଆଦିଲ୍ଲୀରେ ଥିବା ଏନସିବି ମୁଖ୍ୟାଳୟରେ ପହଞ୍ଚି ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଓ୍ବାଙ୍ଖଡ଼େ ଦିଲ୍ଲୀର ଆରକେ ପୁରମସ୍ଥିତ ଏନସିବି ମୁଖ୍ୟାଳୟର ପଛଗେଟ ଦେଇ ପ୍ରବେଶ କରିଥିଲେ । ସେଠାରେ ସେ ପ୍ରାୟ ଦୁଇଘଣ୍ଟା ରହି ଏନସିବିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ ସେ ଏନସିବି ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟିଛନ୍ତି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ମୁମ୍ବାଇ କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆସିବା ପ୍ରେକ୍ଷାପଟ୍ଟରେ ତାଙ୍କର ଦିଲ୍ଲୀ ଗସ୍ତକୁ ଗୁରୁତ୍ବ ଦିଆଯାଉଛି ।

ସେ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ । ଏୟାରପୋର୍ଟରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ ସେ ଆରୟନ ମାମଲାରେ ଆଇନ ଅନୁସାରେ କାର୍ଯ୍ୟ କରିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଉଠିଥିବା ଲାଞ୍ଚ ମଗା ଅଭିଯୋଗ ମାମଲରେ ତାଙ୍କୁ ଦିଲ୍ଲୀ ଡକରା ହୋଇନାହିଁ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର