ଏହି ହୋଟେଲ ଦେଖିଛି ଆତଙ୍କବାଦୀଙ୍କ ବର୍ବରତା,ବୁଝିଛି ସମ୍ପର୍କର ମୂଲ୍ୟ କେତେ! କେମିତି ଜାଣନ୍ତୁ

ଶ୍ରୀନଗର: ଆଜିଠାରୁ ଶ୍ରୀନଗରରେ ପୁଣି ଖୋଲିଛି କୃଷ୍ନା ବୈଷ୍ଣ ଭୋଜନାଳୟ | ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଏହି ହୋଟେଲରେ ଏମିତି କଣ ଅଛି ଯେ ଯାହାକୁ ନେଇ ଖବର ଲେଖାଯାଇପାରେ | ବାସ୍ତବରେ ଏହି ହୋଟେଲ ଏମିତି କିଛି ଘଟଣାର ମୁକ ସାକ୍ଷୀ ଅଛି ଯାହା ଶୁଣିଲେ ଆପଣ ବି ଅନୁଭବ କରିପାରିବେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ପରେ କେତେ କରୁଣ କାହାଣୀ ଥାଏ | ୯୦ ଦଶକରେ ଯେତେବେଳେ କାଶ୍ମୀରରେ ରହୁଥିବା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଏଠାରୁ ଛାଡିବା ପାଇଁ ବାଧ୍ୟ କରାଯାଇଥିଲା ସେଭଳି ସ୍ଥିତିରେ ବି ଏମିତି ଏକ ପରିବାର ଥିଲା ଯାହା କି ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବାରେ ସକ୍ଷମ ଥିଲା | ଏହି ପରିବାରର ମାଲିକାନାରେ ଶ୍ରୀନଗରରେ କୃଷ୍ନା ବୈଷ୍ଣ ଭୋଜନାଳୟ ନାମରେ ଏକ ହୋଟେଲ ଥିଲା |

ଗତ ଫେବୃୟାରୀ ମାସରେ ଏହି ଭୋଜନାଳୟ ଚଳାଉଥିବା ଜଣେ ସଦସ୍ୟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ | ତେବେ ଆଜି ଏହି ହୋଟେଲକୁ ପୁଣି ଥରେ ଖୋଲାଯାଇଛି | ଆଉ ହୋଟେଲ ଖୋଲି ସନ୍ଦେଶ ଦିଆଯାଇଛି ଯେ ଆତଙ୍କବାଦୀଙ୍କ ଆକ୍ରମଣ ଇଛାଶକ୍ତିକୁ ଦୁର୍ବଳ କରିପାରିବ ନାହିଁ | ଏହି ଭୋଜନାଳୟର ମାଲିକ ରମେଶ କୁମାର ମେହେରାଙ୍କ ପୁଅ ଆକାଶ ମେହେରାଙ୍କୁ ଆତଙ୍କବାଦୀମାନେ ଗତ ଫେବୃୟାରୀ ୧୭ ତାରିଖରେ ଗୁଳି କରି ହତ୍ୟା କରିଥିଲେ | ଏହି ଆକ୍ରମଣରେ ୩ ଜଣ ଆତଙ୍କବାଦୀ ସାମିଲ ଥିଲେ ଆଉ ପୁଲିସ ଏମାନଙ୍କୁ ଗିରଫ ମଧ୍ୟ କରିଥିଲା | ଫେବୃୟାରୀ ୧୭ ତାରିଖରେ ଗୁଳିକାଣ୍ଡର ଶିକାର ହୋଇଥିବା ଆକାଶ ୧୦ ଦିନ ଧରି ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରି ହାରିଯାଇଥିଲେ |

ଆଉ ସେତେବେଳେ କିଛି ଲୋକ କହିଥିଲେ ଯେ ଆତଙ୍କବାଦୀଙ୍କ ଗୁଳିରେ ପୁଅର ମୃତ୍ୟୁ ପରେ ବୋଧେ ରମେଶ ଆଉ ଦୋକାନ ଖୋଲିବେ ନାହିଁ | କିନ୍ତୁ ରମେଶ ଆଜି ହୋଟେଲ ଖୋଲି କହିଛନ୍ତି ଯେ ପୁଅକୁ ହରାଇଛି ସତ କିନ୍ତୁ ସାହସ ହରାଇନାହିଁ | ଆଉ ରମେଶଙ୍କ ଏହି ଉକ୍ତି ବହୁତ କଥାକୁ ବଖାଣିଥାଏ | ଆତଙ୍କବାଦୀଙ୍କୁ ଏହା ସନ୍ଦେଶ ଦେଉଛି ଯେ ଏବେ ସେହି ସମୟ ଆଉ ନାହିଁ | ଆତଙ୍କବାଦୀ ଓ ଏହାର ସମର୍ଥକଙ୍କ ପାଇଁ ଏଠାରେ ସ୍ଥାନ ନାହିଁ | ଏବେ ଯେତେ ଆକ୍ରମଣ ହେଲେ ବି କେହି ହିନ୍ଦୁ ପରିବାର ଜମ୍ମୁକାଶ୍ମୀର ଛାଡି ଯିବେ ନାହିଁ |

ସମ୍ବନ୍ଧିତ ଖବର