ମଣିପୁରରେ ପହଞ୍ଚିଲେ ବ୍ରାଜକ ପକ୍ଷୀ ଅମୁର ବାଜ

ଇମ୍ଫାଲ: ସାଇବେରିଆ ପ୍ରଭୃତି ଶୀତପ୍ରଧାନ ଅଞ୍ଚଳରୁ ଶୀତ ପୂର୍ବରୁ ବ୍ରାଜକ ପକ୍ଷୀମାନେ ଭାରତର ବିଭିନ୍ନ ସ୍ଥାନକୁ ଆସି ବସନ୍ତ ଆଗମନ ପର୍ଯ୍ୟନ୍ତ ବସବାସ କରନ୍ତି। ଦୀର୍ଘପଥ ଯାତ୍ରା ପାଇଁ ବିଖ୍ୟାତ ଅମୁର ଫାଲ୍‌କନ (ଅମୁର ବାଜ) ଏବେ ମଣିପୁରରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାମେଙ୍ଗଲଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷୀ ଶିକାରକୁ ନିଷିଦ୍ଧ କରିବା ସହ ଯେଉଁମାନଙ୍କ ପାଖରେ ବନ୍ଧୁକ (ଏୟାର ଗନ୍) ଅଛି ତାହା ସେମାନେ ସମ୍ପୃକ୍ତ ଗ୍ରାମ୍ୟ କର୍ତ୍ତୃପକ୍ଷଙ୍କ ପାଖରେ ଜମା ଦେବା ପାଇଁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅମୁର ବାଜ ହେଉଛି ଅମୁର ନଦୀ (ଚୀନ୍ ଓ ରୁଷ୍ ମଧ୍ୟବର୍ତ୍ତୀ) ଅଞ୍ଚଳରେ ଦେଖାଯାଉଥିବା ବାଜପକ୍ଷୀ ବିଶେଷ। ଏହା ସବୁଠାରୁ ଦୀର୍ଘପଥ ଯାତ୍ରା କରିପାରୁଥିବା ଶିକାରୀ ବ୍ରାଜକ ପକ୍ଷୀ। ଏମାନେ ସାଧାରଣତଃ ଅକ୍ଟୋବର ମାସରେ ଦୀର୍ଘ ୨୦,୦୦୦ କିମି ଅତିକ୍ରମ କରି ଭାରତର ମଣିପୁର ଓ ନାଗାଲାଣ୍ଡରେ ପହଞ୍ଚନ୍ତି। ସେଠାରେ ଯଥେଷ୍ଟ ଖାଦ୍ୟ ଖାଇ ନଭେମ୍ବର ମାସରେ ସେମାନଙ୍କ ଶୀତନିବାସ ଆଫ୍ରିକା ମହାଦେଶକୁ ଯାତ୍ରା କରନ୍ତି। ଶୀତ ଗଲା ପରେ ସେମାନେ ଆଫ୍ରିକାରୁ ନିଜ ଦେଶକୁ ଫେରିଯାଆନ୍ତି। ମଣିପୁର ତାମେଙ୍ଗଲଙ୍ଗ ଜିଲ୍ଲାର ଉପଖଣ୍ଡୀୟ ବନପାଳ (ଡିଏଫ୍‌ଓ) ଅମନଦୀପ ଉକ୍ତ ବ୍ରାଜକ ପକ୍ଷୀଙ୍କ ଆଗମନକୁ ସ୍ବୀକାର କରିଛନ୍ତି। ବନ୍ୟଜନ୍ତୁ ଆଇନ ୧୯୭୨ ଅନୁଯାୟୀ ଏହି ଅତିଥି ପକ୍ଷୀଙ୍କ ସୁରକ୍ଷା ଲାଗି ବ୍ୟବସ୍ଥା କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି। ଏହି ପକ୍ଷୀଙ୍କ ଗତିପଥ ଓ ଜୀବନଶୈଳୀ ଆଦି ଅନୁଧ୍ୟାନ କରିବା ପାଇଁ ୨୦୧୮ ମସିହାରୁ ସେମାନଙ୍କ ଦେହରେ ରେଡିଓ-ଟ୍ୟାଗ୍ ଲଗାଇବା ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର