ମୁମ୍ବାଇ : ପଲସର ହେଉଛି ବଜାଜର ଏକ ଅତି ଲୋକପ୍ରିୟ ବାଇକ୍ ମଡେଲ । ବିଗତ ବର୍ଷମାନଙ୍କରେ ପଲସରର ବିଭିନ୍ନ ମଡେଲ ବଜାରକୁ ଆସିଛି । ସେଗୁଡ଼ିକ ମଧ୍ୟରୁ କେତେକ ଲୋକପ୍ରିୟ ହୋଇଥିବାବେଳେ ଆଉ କେତେକ ଫ୍ଲପ୍ ହୋଇଛନ୍ତି । ଏହିପରି ଏକ ମଡେଲ ହେଲା ପଲସର ଏନ-୧୫୦ ।
୨୦୨୩ରେ ଲଞ୍ଚ୍ ହୋଇଥିବା ପଲସର ଏନ-୧୫୦ ଉତ୍ପାଦନ କମ୍ପାନି ବନ୍ଦ କରିଦେଇଛି । ଅର୍ଥାତ୍ ଲଞ୍ଚ୍ ହେବାର ମାତ୍ର ୨ ବର୍ଷ ମଧ୍ୟରେ ଏହାକୁ ବନ୍ଦ କରିଦିଆଯାଇଛି । ବନ୍ଦ ହେବା ବେଳକୁ ଏହାର ମୂଲ୍ୟ ୧ ଲକ୍ଷ ୨୪ ହଜାର ୭୩୦ ଟଙ୍କା ଥିଲା । ବିକ୍ରିରେ ବିଶେଷ ଅଭିବୃଦ୍ଧି ନ ହେବା କାରଣରୁ ଏହାକୁ ବନ୍ଦ କରିଦିଆଯାଇଥିବା ମନେକରାଯାଉଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ଏହାକୁ ବନ୍ଦ କରାଯାଇଛି ତାହା ସଂପର୍କରେ କମ୍ପାନି କିଛି କହିନାହିଁ ।
ଗତ ମେ ମାସରେ କମ୍ପାନି ମୋଟ ୧୫,୯୩୭ଟି ପଲସର ବିକ୍ରି କରିଥିଲା । ତା ମଧ୍ୟରୁ କ୍ଲାସିକ ପଲସର ଓ ପଲସର ଏନ-୧୫୦ ଅନ୍ତର୍ଭୁକ୍ତ । ମେ ୨୦୨୪ରେ ପଲସର ବିକ୍ରି ୨୯୩୮୬ ଥିଲା, ଅର୍ଥାତ୍ ବର୍ଷକ ମଧ୍ୟରେ ପଲସର କ୍ଲାସିକ ଓ ଏନ-୧୫୦ ବିକ୍ରି କମି କମି ଅଧା ହୋଇଯାଇଛି । ଏହା ହିଁ କମ୍ପାନିକୁ ଏନ-୧୫୦ ବନ୍ଦ କରିବାକୁ ବାଧ୍ୟ କରିଥିବା ମନେକରାଯାଉଛି ।