ଅଳିଆରେ ଗାଡି ନିର୍ମାଣ କଲେ ନିଆଁ ତ ଲାଗିବ: ବଜାଜ ଅଟୋ ମୁଖ୍ୟ

ପୁଣେ: କିଛି ମାସ ମଧ୍ୟରେ ଇଲେକ୍ଟ୍ରିକ ଯାନଗୁଡିକରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି | ଆଉ ବୈଦ୍ୟୁତିକ ଯାନରେ ଅଗ୍ନିକାଣ୍ଡ ଘଟଣାରେ ବଜାଜ ଅଟୋ ଏମଡି ରାଜୀବ ବଜାଜ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗ କେବଳ ନିଆଁ ନୁହେଁ ବରଂ ଉତ୍ପାଦନ ସମ୍ବନ୍ଧୀୟ ପ୍ରକ୍ରିୟା ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୈଦ୍ୟୁତିକ ଯାନ ସମ୍ବନ୍ଧରେ ସରକାରଙ୍କ ନୀତି ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଇଭି(ଇଲେକ୍ଟ୍ରିକ ଭେଇକିଲ)କୁ ପ୍ରୋତ୍ସାହନ ପାଇଁ ସରକାର ନିୟମାବଳୀକୁ କୋହଳ କରିଦେଇଥିବାରୁ କିଛି ଲୋକ ଏବେ ଇଭି ନିର୍ମାଣ କରିବାକୁ ପାଗଳ ଭଳି ହେଉଛନ୍ତି |

ତେବେ ରାଜୀବଙ୍କୁ ଯେତେବେଳେ ଇଲେକ୍ଟ୍ରିକ ଯାନରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଥିବା ଗାଡିରେ ମଧ୍ୟ ଏଭଳି ଘଟଣା ଘଟିଛି। ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ଗାଡିର ଉତ୍ପାଦନ ପ୍ରକ୍ରିୟା(ମ୍ୟାନୁଫ୍ୟାକଚୂରିଙ୍ଗ ପ୍ରୋସେସ) କିଭଳି ହେଉଛି । ରାଜୀବ ପ୍ରଶ୍ନ କରିଛନ୍ତି ଯେ ଯେଉଁମାନଙ୍କର ବୈଦ୍ୟୁତିକ ଯାନ ସହିତ କୌଣସି ସମ୍ପର୍କ ନାହିଁ, ସେମାନେ କାହିଁକି ଏହି ବ୍ୟବସାୟ କରିବାକୁ ଚେଷ୍ଟା କରୁଛନ୍ତି? ଟଙ୍କା ରୋଜଗାର କରିବା ପାଇଁ ଏବେ ପ୍ରତିଯୋଗିତା ଚାଲିଛି ।

ସେ କହିଛନ୍ତି, ମୁଁ କିଛି ଲୋକଙ୍କୁ ଜାଣେ ଯେଉଁମାନଙ୍କର ରିସର୍ଚ୍ଚ, ଇଞ୍ଜିନିୟରିଂ ଉପରେ କୌଣସି ଜ୍ଞାନ ନାହିଁ। ବାହାରୁ ଅବୈଧ ସାମଗ୍ରୀ ଆମଦାନୀ କରି ସେମାନେ ସେଥିରୁ ଗାଡି ତିଆରି କରୁଛନ୍ତି। ସେ କହିଛନ୍ତି ଯେ ଅଳିଆ ଉଠାଇ ଗାଡି ନିର୍ମାଣ କରାଯାଏ ଓ ଏହାକୁ ରାସ୍ତାରେ ଓହ୍ଲାଇ ଦିଆଯାଏ, ସେତେବେଳେ ତ ଗାଡ଼ିରେ ନିଆଁ ଲାଗିବ | ରାଜୀବ କହିଛନ୍ତି ଯେ ସୁରକ୍ଷାମାନକ ନ ଦେଖି ମନଇଚ୍ଛା ସାମଗ୍ରୀ ବ୍ୟବହାର କରି କିଛି ଲୋକ ଗାଡି ନିର୍ମାଣ କରୁଛନ୍ତି, ଯେଉଁଥିପାଇଁ ରାସ୍ତାରେ ଯିବାବେଳେ ଏଥିରେ ନିଆଁ ଲାଗିଯାଉଛି |

ସମ୍ବନ୍ଧିତ ଖବର