ଝାନ୍ସୀ: ଦେଶର ଅନେକ ସ୍ଥାନରେ ଏବେ ଚାଲିଥିବା 'ଆଇ ଲଭ୍ ମହମ୍ମଦ' ବନାମ 'ଆଇ ଲଭ୍ ମହାଦେବ' ବିବାଦ ଏବେ ଉତ୍ତରପ୍ରଦେଶର ଝାନ୍ସୀରେ ଦେଖିବାକୁ ମିଳିଛି। ଆଉ ଏବେ ଏହା ଦେଖିବାକୁ ମିଳିଛି ଏକ ଦାଣ୍ଡିଆ ନାଇଟ୍ ସମୟରେ। ଦାଣ୍ଡିଆ ନାଇଟ୍ ର ଏକ ଡିସପ୍ଲେ ବୋର୍ଡରେ ବାରମ୍ବାର 'ଆଇ ଲଭ୍ ମହାଦେବ' ପ୍ରଦର୍ଶିତ ହେଉଥିଲା, ଯାହା ଦେଖି ଦର୍ଶକମାନେ ମଧ୍ୟ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେବାକୁ ଲାଗିଥିଲେ। ଆଉ ଏହି କାର୍ଯ୍ୟକ୍ରମରେ ଜଣେ ଅଣହିନ୍ଦୁ ଯୁବକ ଧରାପଡ଼ିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
କାନପୁର, ବାରାଣସୀ ଓ ଉନ୍ନାଓ ଭଳି ସହରରେ ଶୋଭାଯାତ୍ରା ସମୟରେ 'ଆଇ ଲଭ୍ ମହମ୍ମଦ' ପ୍ରଦର୍ଶିତ ପ୍ଲାଗକାର୍ଡ ଓ ପୋଷ୍ଟର ପ୍ରଦର୍ଶନ କରାଯିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଅନେକ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା, ଯାହାଫଳରେ ହିନ୍ଦୁ ସଂଗଠନଗୁଡ଼ିକ 'ଆଇ ଲଭ୍ ମହାଦେବ' ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।
ଏହି ଘଟଣା ପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସହରର ବିଭିନ୍ନ ଗରବା ମଣ୍ଡପଗୁଡିକରେ ବୁଲି ଅଣହିନ୍ଦୁମାନଙ୍କୁ ଖୋଜୁଥିବାର ଦେଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଅନେକ ସ୍ଥାନରେ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଗରବା କାର୍ଯ୍ୟକ୍ରମରେ ଜଣେ ଅଣହିନ୍ଦୁ ଯୁବକଙ୍କୁ ଧରିଥିଲା ବଜରଙ୍ଗ ଦଳ। ସେ ପୁଲିସକୁ କହିଥିଲେ ଯେ ସେ ଜଣେ ମ୍ୟୁଜିକ୍ ସିଷ୍ଟମ୍ ଅପରେଟର ଏବଂ କାମ ପାଇଁ ସେଠାକୁ ଆସିଥିଲେ। ପୁଲିସ ଏବେ ତାଙ୍କୁ ନିମନ୍ତ୍ରଣ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି। ବର୍ତ୍ତମାନ ଝାନ୍ସୀର ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଗରବା ଓ ଦାଣ୍ଡିଆ ଭଳି କାର୍ଯ୍ୟକ୍ରମ ଉତ୍ତେଜନା ସୃଷ୍ଟି ନ କରିବାକୁ ପୁଲିସ ଅନୁରୋଧ କରିଛି।