ନମାଜ ପାଠକୁ ବିରୋଧ କରି ତାଜମହଲ ଭିତରେ ବଜରଙ୍ଗ ଦଳ ମହିଳା କର୍ମୀମାନେ କଲେ ‘ଆରତୀ’; ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହେଲା ତଦନ୍ତ
ଆଗ୍ରା (ଉତ୍ତରପ୍ରଦେଶ): ବିଶ୍ୱ ପ୍ରସିଦ୍ଧ ତାଜମହଲରେ ମୁସଲମାନମାନଙ୍କର ନମାଜ ପାଠକୁ ବିରୋଧ କରି ବଜରଙ୍ଗ ଦଳର ମହିଳା କର୍ମୀମାନେ ଶନିବାର ଦିନ ତାଜମହଲ ଭିତରେ ପୂଜାପାଠ କରିବା ସହ ‘ଆରତୀ’ କରିବା ଘଟଣା ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିବା ଏହି ସଂରକ୍ଷିତ କୀର୍ତ୍ତିରାଜି ମଧ୍ୟରେ ବଜରଙ୍ଗ ଦଳର ମହିଳା କର୍ମୀମାନେ ଶନିବାର ଦିନ ପୂଜାପାଠ କରିବା ସହ ‘ଆରତୀ’ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ଏବେ ହଇଚଇ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ତାଜମହଲର ଦାୟିତ୍ୱରେ ରହିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍) ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଜରଙ୍ଗ ଦଳର ମହିଳା କର୍ମୀମାନେ ଶନିବାର ଦିନ ତାଜମହଲ ଭିତରେ ପୂଜାପାଠ କରିବା ସହ ‘ଆରତୀ’ କରିବା ଘଟଣା ସଂପର୍କରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ମହିଳା ଶଖା ସଭାନେତ୍ରୀ ମୀନା ଦିବାକର ଗଣମାଧ୍ୟମକୁ କହିଛନ୍ତି ଯେ ମୁସଲମାନମାନେ ତାଜମହଲରେ ନମାଜପାଠ କରିବା ଦ୍ୱାରା ଏହାର ପବିତ୍ରତା ନଷ୍ଟ ହୋଇଯାଇଛି। ତେଣୁ, ତାଜମହଲର ପବିତ୍ରତାର ପୁନଃ ସଂସ୍ଥାପନ ସହ ତାଜମହଲ ପରିସରକୁ ପବିତ୍ର କରିବା ଉଦ୍ଦେଶ୍ୟରେ ସେ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତାଜମହଲକୁ ଯାଇ ପୂଜା କରିବା ସହ ଆରତୀ କରିଥିଲେ। ଏଥିସହ ସେ କହିଛନ୍ତି ଯେ ତାଜମହଲ ପୂର୍ବରୁ ‘ତେଜୋ ମହାଳୟା ଶିବ ମନ୍ଦିର’ ଥିଲା। ଯାହାକୁ ଭାଙ୍ଗି ମୋଗଲ ଶାସକ ଶାହାଜାହାନ୍ ତା’ ଉପରେ ତାଜମହଲର ନିର୍ମାଣ କରିଥିଲେ।