ଭୋପାଳ : ବୁଧବାର ଇଦ୍ ପର୍ବ ସମୟରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଗୋମାଂସ ନେଉଥିବା ଦୁଇ ଜଣ ଲୋକଙ୍କୁ ଅଟକାଇ ବଜରଙ୍ଗ ଦଳ କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଇମଲିପୁରାରୁ ସିହାଡ଼ା ଗାଁର ଦୁଇଜଣ ଲୋକ ମଟର ସାଇକେଲରେ ମାଂସ ନେଉଥିଲେ। ଖଣ୍ଡୱାର ପଲିଟେକ୍ନିକ୍ କଲେଜ ନିକଟରେ ବଜରଙ୍ଗ ଦଳର କର୍ମୀମାନେ ତାଙ୍କୁ ଅଟକାଇ କ’ଣ ନେଉଛ ବୋଲି ପଚାରିଥିଲେ। ସେମାନେ ଛେଳିମାଂସ ନେଉଛୁ ବୋଲି କହିଥିଲେ ମଧ୍ୟ ଗୋମାଂସ ନେଉଛ ବୋଲି ଅଭିଯୋଗ କରି ବଜରଙ୍ଗ ଦଳ କର୍ମୀମାନେ ତାଙ୍କୁ ମାଡ଼ ମାରିବା ସହ ଲୁଗାପଟା ଚିରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଦୁଇଜଣ ଲୋକଙ୍କୁ ଆକ୍ରମଣକାରୀଙ୍କ ହାତରୁ ଉଦ୍ଧାର କରି ଥାନାକୁ ନେଇଥିଲେ। ବଜରଙ୍ଗ ଦଳର କର୍ମୀମାନେ ପ୍ରତିବାଦ କରିବା ଜାରି ରଖିଥିଲେ।
କାଜି (ସାରିଆ କୋର୍ଟର ଜଜ୍) ସୟଦ ନିସାର କହିଛନ୍ତି, ପ୍ରଶାସନ ଖଣ୍ଡୱାର କଂସେଇଖାନାଗୁଡ଼ିକ ଉପରେ କଡ଼ା ନଜର ରଖିଛନ୍ତି। ସେଠାରେ ଗୋମାଂସ ମିଳିବା ସମ୍ଭବ ନୁହେଁ। ଅପରପକ୍ଷେ ବଜରଙ୍ଗ ପକ୍ଷରୁ ଗୋମାଂସ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ଏହା ଉପରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି।