ଆମେରିକାର ଦୋମୁହାଁ ନୀତି : ପାକିସ୍ତାନକୁ ଏଫ-୧୬ ସହାୟତା ପରେ ବାଜଓ୍ବାଙ୍କୁ ସ୍ବାଗତ କଲା ପେଣ୍ଟାଗନ

ଓ୍ବାସିଂଟନ : ପୁଣି ପଦାରେ ପଡିଯାଇଛି ଆମେରିକାର ଦୋମୁହାଁ ନୀତି । ପୁଣି ପାକିସ୍ତାନ ସେନା ସହ ନିଜର ମଧୂର ସଂପର୍କକୁ ପ୍ରମାଣିତ କରିଛି ଆମେରିକା । ଏହି କାରଣରୁ ଆମେରିକା ଯେତେ କହିଲେ ବି ଭାରତ ରୁଷକୁ ଛାଡ଼ି ଆମେରିକା ଶିବିରକୁ ଯାଉନାହିଁ ।

ଭାରତର ଚିନ୍ତା ସତ୍ତ୍ବେ ପାକିସ୍ତାନକୁ ୪୫୦ ନିୟୁତ ଡଲାର ମୂଲ୍ୟର ଏଫ-୧୬ ଲଢୁଆ ବିମାନ ଯନ୍ତ୍ରାଂଶ ଯୋଗାଇବା ପରେ ଏବେ ପାକ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ବାଙ୍କୁ ସ୍ବାଗତ କରିଛି ପେଣ୍ଟାଗନ । ଓ୍ବାସିଂଟନ ଗସ୍ତରେ ଥିବା ବାଜଓ୍ବା ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ, ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକବ ସୁଲିଭାନଙ୍କୁ ଭେଟିଛନ୍ତି । ଦ୍ବିପାକ୍ଷିକ ପ୍ରତିରକ୍ଷା ଓ କୂଟନୈତିକ ସଂପର୍କତୁ ସୁଦୃଢ କରିବା ଏହାର ଲକ୍ଷ୍ୟ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଉଛି ।

ନିକଟରେ ବାଇଡେନ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ସରଞ୍ଜାମ ବିକ୍ରିକୁ ମଂଜୁରୀ ଦିଆଯାଇଛି । ଏହା ମାଧ୍ୟମରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ କାର୍ୟ୍ୟ କରାଯିବ । ଏହି ସହାୟତା ମାଧ୍ୟମରେ ପାକିସ୍ତାନି ନିଜର ଏଫ-୧୬ ଲଢୁଆ ବିମାନଗୁଡ଼ିକୁ ବର୍ତ୍ତମାନ ଓ ଭବିଷ୍ୟତର ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତ କରିପାରିବ ବୋଲି ବାଇଡେନ ପ୍ରଶାସନ କହିଛି । ପରେ ଆମେରିକାର ଉପ-ପରରାଷ୍ଟ୍ର ସଚିବ (ଦକ୍ଷିଣ ଓ କେନ୍ଦ୍ର ଏସିଆ) ଡୋନାଲ୍ଡ ଲୁ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ  ପାକିସ୍ତାନକୁ କୌଣସି  ଅନୁଦାନ ଦିଆଯାଉନାହିଁ । ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ଯନ୍ତ୍ରାଂଶ ବିକ୍ରି କରାଯିବ ।

ସମ୍ବନ୍ଧିତ ଖବର