ନୂଆଦିଲ୍ଲୀ: ପାକିସ୍ତାନ ସୀମା ମଧ୍ୟରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଅପରେସନ୍‌ର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ। ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍‌-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍‌ ସ୍ପାଇସ୍‌ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।

Advertisment

ଆଉ ଏହି ପୂରା ମିଶନକୁ ଏତେ ଗୋପନୀୟ କରି ରଖା ଯାଇଥିଲା ଯେ ଏହି ମିଶନରେ ଅଂଶଗ୍ରହଣ କରିଥିବା ପାଇଲଟମାନଙ୍କ ପତ୍ନୀ କିମ୍ବା ସେମାନଙ୍କ ପରିବାରର ନିକଟତମ ସଂପର୍କୀୟମାନେ ସୁଦ୍ଧା ଏହାର ସାମାନ୍ୟତମ ଟେର୍‌ ସୁଦ୍ଧା ପାଇ ପାରି ନଥିଲେ। ପରଦିନ ସକାଳୁ ଏଇ ଖବର ପ୍ରସାରିତ ହେବା ପରେ ଏହି ଅପରେସନ୍‌ରେ ଅଂଶଗ୍ରହଣ କରିଥିବା ପାଇଲଟମାନଙ୍କୁ ସେମାନଙ୍କ ପତ୍ନୀମାନେ ଫୋନ୍‌ କରି ସେମାନେ ଏହି ମିଶନର ଅଂଶୀଦାର ଥିଲେ କି ନାହିଁ ବୋଲି ପଚାରିଥିଲେ।

publive-image

ଏକଥା ଆଉ କେହି ନୁହେଁ ବରଂ ସେଦିନ ଏହି ମିଶନରେ ଅଂଶଗ୍ରହଣ କରିଥିବା ଭାରତୀୟ ବାୟୁସେନାର ଦୁଇ ଜଣ ଲଢ଼ୁଆ ବିମାନ ପାଇଲଟ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଜାତୀୟ ସ୍ତରର ପ୍ରତିଷ୍ଠିତ ସମ୍ବାଦପତ୍ର ‘ହିନ୍ଦୁସ୍ତାନ ଟାଇମସ୍‌’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ସେଦିନର ଅପରେସନ୍‌ ସଂପର୍କରେ ସୂଚନା ଦେବାକୁ ଯାଇ ଏହି ଦୁଇ ପାଇଲଟ କହିଛନ୍ତି ଯେ ୨୬ ଫେବ୍ରୁଆରିରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏହି ଅପରେସନ୍‌ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଏହାକୁ ଅତ୍ୟନ୍ତ ଗୋପନୀୟ କରି ରଖା ଯାଇଥିଲା। ଅପରେସନ୍‌ର ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ସଂପର୍କରେ କାହାରି ନିକଟରେ କୌଣସି ପ୍ରକାରର ସାମାନ୍ୟତମ ସୂଚନା ସୁଦ୍ଧା ନଥିଲା।

publive-image Hindustan Times

୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସ୍‌ରୁ ୧୨ଟି ମିରାଜ୍‌ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ। ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍‌ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ। ଏହି ଅପରେସନ୍‌ର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’। ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗ୍‌ନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା। ପରେ ସମସ୍ତ ମିରାଜ୍‌ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍‌ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍‌ ସହର ଅଭିମୁଖେ ଅଗ୍ରସର ହୋଇଥିଲା।

publive-image Google Photo

ପରେ ଠିକ୍‌ ୩ଟା ୩୦ ମିନିିଟରେ ବାଲକୋଟ ସ୍ଥିତ ଜୈସ୍‌-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍‌ ନମ୍ବର ୭ ଓ ସ୍କାର୍ଡନ୍‌ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍‌ ସ୍ପାଇସ୍‌ ବୋମା ନିକ୍ଷେପ କରି ଜୈସ୍‌ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନ୍‌କୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।