ବିଶ୍ୱ ସମୁଦାୟର ସମବେଦନା ପାଇଁ ପାକ୍‌ର ଅପପ୍ରଚାର: ଏପ୍ରିଲ୍‌ ୧୬ରୁ ୨୦ ଭିତରେ ଆକ୍ରମଣ କରିବ ଭାରତ !

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଓ ତାହାର ପ୍ରତିଶୋଧ ନେବାକୁ ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌କୁ ଇତିମଧ୍ୟରେ ଅନେକ ଦିନ ବିତିଗଲାଣି। ହେଲେ ଏବେ ବି ପାକିସ୍ତାନ ସେ ନେଇ ଗୁଜବ ପ୍ରଚାର କରିବା ବନ୍ଦ କରିନାହିଁ। ବାଲାକୋଟରେ କୌଣସି ଷ୍ଟ୍ରାଇକ୍‌ ହୋଇ ନାହିଁ ବୋଲି ପାକ୍‌ ଦାବି କରିବା ସହ ଏପ୍ରିଲ୍‌ ୧୬ ରୁ ୨୦ ତାରିଖ ଭିତରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ଯୋଜନା କରିଥିବା କଥା ପ୍ରଚାର କରିଛି।

ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଣା ସୀତାରମଣ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ‘ବିଶ୍ୱ ସବୁଦାୟର ସମବେଦନା ପାଇବା ପାଇଁ ପାକିସ୍ତାନ ଏପରି ଗୁଜବ ପ୍ରଚାର କରିଛି। ଆମେ କେବେ ବି ଅନ୍ତର୍ଜାତୀୟ ନିୟମ ଭଙ୍ଗ କରି ନାହୁଁ। ପୁଲଓ୍ଵାମା ଆକ୍ରମଣ ପରେ ଆମେ ୧୨ ଦିନ ଅପେକ୍ଷା କରି ସତ ନିକଟରେ ପହଞ୍ଚିବା ପରେ ହିଁ ପାଲଟା ଆକ୍ରମଣ କରିଥିଲୁ। ଭାରତ ଆକ୍ରମଣ ଯୋଜନା କରୁଛି ବୋଲି ଗୁଜବ ପ୍ରଚାର କରି ଏକ ଭୟ ସୃଷ୍ଟି କରାଇ ପାକିସ୍ତାନ ସମବେଦନା ଚାହୁଁଛି।’

ପାକ୍‌ ବାୟୁସେନାର ଏଫ୍‌-୧୬ ବିମାନକୁ ଭାରତୀୟ ସେନା ଖସାଇ ଦେଇଥିବା କଥାରେ ମତ ରଖି ସୀତାରମଣ କହନ୍ତି କି ‘ସେମାନେ ମାନନ୍ତୁ କି ନ ମାନନ୍ତୁ ଏହା ସତ। ଏପରିକି ଏହି ସତର ପ୍ରମାଣ ମୁଁ ନିଜେ ଦେଖିଛି। ଏଫ୍‌୧୬ ବିମାନକୁ ଭାରତୀୟ ସେନା ଖସାଇଛି ବୋଲି ହସ୍ତଗତ ହୋଇଥିବା ଫଟୋ ତାହାର ପ୍ରମାଣ।’

ବର୍ତ୍ତମାନ ସୀମାର ସ୍ଥିତି ସଂପର୍କରେ ସୀତାରମଣ କହନ୍ତି କି ଏବେ ଭାରତୀୟ ସେନା ସୀମାରେ ସଂପୂର୍ଣ୍ଣ ତତ୍ପର ହୋଇ ଜଗିଛନ୍ତି। ପାକିସ୍ତାନ ଗୁଜବ ପ୍ରଚାର କରିବା ସହ ଅନ୍ତର୍ଜାତୀୟ  ବିମାନ ଚଳାଚଳ ଲାଗି ତା’ର ଆକାଶ ପଥକୁ ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର