ନୂଆଦିଲ୍ଲୀ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଜୈସ୍‌ ଆତଙ୍କବାଦୀ ସଂଗଠନର କ୍ୟାମ୍ପ୍‌ଗୁଡ଼ିକୁ ଛାରଖାର କରିଦେଇଥିବା ବେଳେ ଏହାକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ହୋଇଛି। ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ବାଲାକୋଟ ଆକ୍ରମଣରେ ୨୫୦ରୁ ଅଧିକ ଆତଙ୍କବାଦୀ ମରିଥିବା ଏକ ଜନସଭାରେ କହିବାପରେ କଂଗ୍ରେସ ନେତା କପିଲ ସିବଲ, ପି. ଚିଦମ୍ବରମ, ନବଜୋତ ସିଂ ସିଦ୍ଧୁ ବିମାନ ଆକ୍ରମଣର ସଫଳତା ନେଇ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ମାଗିଛନ୍ତି। ସିବଲ କହିଛନ୍ତି ଯେ ଅନ୍ତର୍ଜାତୀୟ ମିଡିଆ କୌଣସି ଆତଙ୍କବାଦୀ ମରିନାହାନ୍ତି ବୋଲି ପ୍ରଚାର କରୁଥିବାରୁ ସରକାର ଏ ନେଇ ସ୍ଥିତି ସ୍ପଷ୍ଟ କରିବାକୁ ବାଧ୍ୟ। ପୂର୍ବ ଅର୍ଥମନ୍ତ୍ରୀ ପି ଚିଦମ୍ବରମ କହିଛନ୍ତି ଯେ ଆକ୍ରମଣ କେତେ ସଫଳ ହୋଇଛି ସେ ନେଇ ସରକାରଙ୍କୁ ତଥ୍ୟ ରଖିବାକୁ ପଡ଼ିବ। ଆକ୍ରମଣ ପରେ ଯେଉଁ ମୃତ୍ୟୁସଂଖ୍ୟା ପ୍ରଚାରିତ ହେଉଛି ତାହା ଆସିଲା କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଂଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବ କ୍ରିକେଟର୍‌ ନବଜୋତ୍‌ ସିଂହ ସିଦ୍ଧୁ ମଧ୍ୟ ବାୟୁସେନାର ଆକ୍ରମଣ ବିଫଳ ହୋଇଛି ବୋଲି କହିବାକୁ ପ୍ରୟାସ କରିଛନ୍ତି। ବାୟୁସେନା କ’ଣ କେବଳ ଜଂଗଲରେ ବୋମା ପକାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେତେ ଆତଙ୍କବାଦୀ ମରିଛନ୍ତି ସେ ସଂପର୍କିତ ବିସ୍ତୃତ ତଥ୍ୟ ସରକାର ରଖିବା ଉଚିତ ବୋଲି କହିଛନ୍ତି। ବିରୋଧୀ ଦଳମାନେ ଉଠାଇଥିବା ପ୍ରଶ୍ନ ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ବିରୋଧୀ ଦଳ ରାଜନୈତିକ ସ୍ବାର୍ଥ ପାଇଁ ସେନାର ପରାକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସେମାନେ ପରୋକ୍ଷରେ ପାକିସ୍ତାନକୁ ସାହାଯ୍ୟ କରୁଛନ୍ତି। ୟୁପିଏ ସରକାର ସମୟରେ ଯଦି ରାଫେଲ ଚୁକ୍ତି ସଂପାଦିତ ହୋଇ ଦେଶକୁ ବିମାନ ମିଳିଥାନ୍ତା ତା’ହେଲେ ପରିଣାମ ଆହୁରି ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ଆତଙ୍କବାଦର ବିନାଶ ପାଇଁ ସମଗ୍ର ଦେଶ ଏକଜୁଟ୍‌ ଥିବାରୁ ବିରୋଧୀ ଦଳମାନେ ବୁଝି ବିଚାରି ବୟାନ ‌ଦିଅନ୍ତୁ ବୋଲି ମୋଦୀ କହିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ଲଢ଼େଇ ଜାରି ରଖିବ ଏବଂ ଆତଙ୍କବାଦୀ ପାତାଳରେ ଲୁଚିଲେ ମଧ୍ୟ ରକ୍ଷା ପାଇବେ ନାହିଁ ବୋଲି ମୋଦୀ କହିଛନ୍ତି।