ନୂଆଦିଲ୍ଲୀ,: ପାକିସ୍ତାନରେ ପଶି ବାଲାକୋଟ ସ୍ଥିତ ଜେଇଏମର ବୃହତ୍ତମ ତାଲିମ ଶିବିରକୁ ଧ୍ବଂସ କରିଥିବା ଭାରତୀୟ ବାୟୁସେନାର ମିରାଜ୍-୨୦୦୦ ବିମାନର ନିଖୁଣ କାର୍ଯ୍ୟଦକ୍ଷତା ଏବେ ଚର୍ଚ୍ଚାର ସର୍ବାଗ୍ରେ। ପୁଲଵାମା ଆକ୍ରମଣ ପରେ ପାକିସ୍ତାନ ସୀମାରେ ପଶି ସେଠି କାୟା ବିସ୍ତାର କରୁଥିବା ଆତଙ୍କବାଦୀମାନଙ୍କୁ ସଂହାର କରିବା ପାଇଁ ଆକାଶମାର୍ଗରୁ ଆକ୍ରମଣ ହିଁ ଶ୍ରେଷ୍ଠ ପନ୍ଥା ଏବଂ ଏଥିପାଇଁ ମିରାଜ୍-୨୦୦୦ର ବ୍ୟବହାର ଆଶାନୁରୂପ ଫଳ ଦେବ ବୋଲି ବିଚାର କରାଯାଇଥିଲା। ତେବେ ଆଜିର ବାଲାକୋଟ ଆକ୍ରମଣରୁ ଭାରତୀୟ ବାୟୁସେନାକୁ ମିଳିଥିବା ଆଶାତୀତ ସଫଳତାର ଶ୍ରେୟ ଉକ୍ତ ଯୁଦ୍ଧ ବିମାନର ନିର୍ଭୁଲ୍ କାର୍ଯ୍ୟଶୈଳୀକୁ ମିଳିଛି। ତେଣୁ ଏ ପରିପ୍ରେକ୍ଷୀରେ ମିରାଜ୍-୨୦୦୦ର ବୈଶିଷ୍ଟ୍ୟ ବିଷୟରେ ଜାଣିବା ପାଇଁ ଦେଶବାସୀଙ୍କ ମନରେ ଉତ୍ସୁକତା ଆଣିଛି।
ଫ୍ରାନ୍ସର ଡାସଲ୍ଟ ଏଭିଏସନ କମ୍ପାନି ଦ୍ବାରା ନିର୍ମିତ ୧୪.୩୬ ମିଟର ଲମ୍ବ ଏବଂ ୯୧.୩ ମିଟର ଓସାର(ଡେଣାକୁ ମିଶାଇ)ର ଏହି ବିମାନର ଫାଙ୍କା ଓଜନ ୭୫୦୦ କେଜି ହୋଇଥିବା ବେଳେ ଏହା ୯୫୦୦ କେଜିର ଯୁଦ୍ଧାସ୍ତ୍ର ଧରି ଉପରକୁ ଉଠିପାରିବ। ଏହା ମିନିଟକୁ ୬୦ ହଜାର ଫୁଟ ଉପରକୁ ଉଠିପାରିବାର ଦକ୍ଷତା ରଖିବା ସହ ଯେ କୌଣସି ପାଗରେ ମଧ୍ୟ ଅତି ନିମ୍ନ ଉଚ୍ଚତାରେ ମଧ୍ୟ ଉଡ଼ିପାରିବ। ବିଶେଷ କରି ଏହା ହେଉଛି ଏକକ ଇଞ୍ଜିନ ବିଶିଷ୍ଟ ଯୁଦ୍ଧ ବିମାନ ଯାହା ବିଭିନ୍ନ ବର୍ଗର ବୋମା ନିକ୍ଷେପ ଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ଛାଡ଼ିବା ଏବଂ ଲେଜର ଆଧାରିତ ବୋମା ମଧ୍ୟ ପକାଇବା ଭଳି ବହୁବିଧ କ୍ଷମତା ରଖିଛି। ଏଥିରେ ଏକକାଳୀନ ଏକାଧିକ ଲକ୍ଷ୍ୟସ୍ଥଳକୁ ନିଶାଣ କରିବା ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ରାଡାର ପ୍ରଣାଳୀ(ଥେଲସ୍-ଆରଡିଵାଇ) ଖଞ୍ଜାଯାଇଛି ଯାହା କି ଶତ ପ୍ରତିଶତ ସଠିକତା ହାସଲ କରିବାରେ ସକ୍ଷମ। ଏଥି ସହିତ ଏହାର ନବୀକରଣ ପରେ ଏଥିରେ ରାତ୍ରି ଦୃଶ୍ୟମାନ କାଚର କକପିଟ୍ ଏବଂ ଅତ୍ୟାଧୁନିକ ଦିଗନିର୍ଣ୍ଣୟ ପ୍ରଣାଳୀ ଖଞ୍ଜାଯାଇଛି। ସେହିପରି ଏହାକୁ ସାମନା କରୁଥିବା ବିମାନ ଶତ୍ରୁପକ୍ଷ କି ମିତ୍ରପକ୍ଷର ତାହା ମଧ୍ୟ ଠଉରେପାରିବ। ଏଥି ସାଙ୍ଗକୁ ଏଥିରେ ରହିଥିବା ବହୁସ୍ତରୀୟ ରାଡାର, ଦଶ୍ୟମାନ ଦୂରତା ବାହାରେ ବି ଦେଖିବାର ପ୍ରଣାଳୀ ଏବଂ ସର୍ବୋପରି ଇଲେକ୍ଟ୍ରୋନିକ ନିୟନ୍ତ୍ରିତ ସମ୍ପୂର୍ଣ୍ଣ ଯୁଦ୍ଧ ବ୍ୟବସ୍ଥା(ଵାରଫେୟାର ସୁଟ୍) ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି। ତେଣୁ ବହୁ ଦୂରରୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟସ୍ଥଳକୁ ନିଶାଣ କରିବାରେ ଏହା ନିର୍ଭୁଲ୍ କାର୍ଯ୍ୟଦକ୍ଷତା ଦେଖାଇବ ବୋଲି ନିଶ୍ଚିତ ହୋଇ ବାୟୁସେନା ଏହାର ଉପଯୋଗ କରିଥିଲା।
ବାଲାକୋଟ ହିରୋ ମିରାଜ୍-୨୦୦୦
/sambad/media/post_attachments/wp-content/uploads/2019/02/india-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)