ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ; କଶ୍ମୀର ବିଶେଷଜ୍ଞ ଅରବିନ୍ଦ କୁମାର ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ରହିବା ସହ ଏହାର ସଫଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଏବଂ ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ଅଦ୍ଭୂତପୂର୍ବ ସଫଳତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ସାମନ୍ତ ଗୋୟଲଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ଵିଙ୍ଗ୍‌)ର ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ‘ର’ ର ମୁଖ୍ୟ ରୂପେ ନିଯୁକ୍ତି ପାଇଥିବା ସାମନ୍ତ ଗୋୟଲ କେବଳ ମାତ୍ର ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସଫଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ନଥିଲେ ବରଂ ୨୦୧୬ରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ସଫଳତା ପୂର୍ବକ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା ତା’ର ବି ମୁଖ୍ୟ କର୍ଣ୍ଣଧାର ଥିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସାମନ୍ତ ଗୋୟଲ। ଉଲ୍ଲେଖଯୋଗ୍ୟ, ୨୦୧୬ର ଉରି ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରି ଆତଙ୍କବାଦୀମାନଙ୍କ ଆଡ୍ଡାକୁ ଧ୍ୱଂସ କରିଥିବା ବେଳେ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର ଷ୍ଟ୍ରଇକ୍‌ କରି ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା।

The Quint

ସେହିପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କଶ୍ମୀର ସମସ୍ୟା ସଂପର୍କରେ ଯଥେଷ୍ଟ ଅଭିଜ୍ଞତା ରଖିଥିବା ଏବଂ ନକ୍ସଲଙ୍କୁ ଦମନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅନ୍ୟତମ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରବିନ୍ଦ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି।

ଉଭୟ ସାମନ୍ତ ଗୋୟଲ ଓ ଅରବିନ୍ଦ କୁମାର ୧୯୮୪ ବ୍ୟାଚ୍‌ର ଆପିଏସ୍‌ ଅଫିସର। ସାମନ୍ତ ଗୋୟଲ ପଞ୍ଜାବ କ୍ୟାଡରର ଆଇପିଏସ୍‌ ଅଫିସର ହୋଇଥିବା ବେଳେ ଅରବିନ୍ଦ କୁମାର ହେଉଛନ୍ତି ଆସାମ- ମେଘାଳୟ କ୍ୟାଡରର ଆଇପିଏସ୍‌ ଅଫିସର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ କମିଟି ଏମାନଙ୍କ ନିଯୁକ୍ତିକୁ ଅନୁମୋଦନ ଦେବାପରେ ଏମାନଙ୍କ ନୂତନ ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର