ନୂଆଦିଲ୍ଲୀ: ବାଲେଶ୍ବର ଫକୀର ମୋହନ ସ୍ବଂୟଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଆଜି ସ୍ଥାନୀୟ ଏଆଇସିସିର ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଓଡ଼ିଶାରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି, ରାଜ୍ୟ ସରକାର ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ବଳାତ୍କାର କ୍ଷେତ୍ରରେ ସଂପୂର୍ଣ୍ଣ ଉଦାସୀନତା ପ୍ରର୍ଦଶନ କରୁଥିବା ଗମ୍ଭୀର ଅଭିଯୋଗ କରିଛି ଦଳ। ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ ରାଜ୍ୟ ସରକାରଙ୍କୁ ଏହି ଘଟଣା ପାଇଁ ଦୋଷାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନୈତିକତା ଦୃଷ୍ଟିର ଇସ୍ତଫା ଦେବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଉଭୟ ଦାବି କରିଛନ୍ତି।
ଅଳକା ଲାମ୍ବା କହିଥିଲେ, ପୀଡ଼ିତା ଛାତ୍ରୀ ବିଜେପି-ଆରଏସ୍ଏସ୍ର ଛାତ୍ର ସଂଗଠନ ଏବିଭିପିର ଜଣେ ପଦାଧିକାରୀ। ଛାତ୍ରୀଜଣକଙ୍କୁ ଲାଗିଲା ଯେ ନ୍ୟାୟ ମିଳିବ ନାହିଁ। ଏଣୁ ସେ କଲେଜ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜାତୀୟ ମହିଳା କମିସନ ମାମଲାର ସର୍ଜମିନ ତଦନ୍ତ ପାଇଁ କାହିଁକି ଘଟଣାସ୍ଥଳକୁ ଯାଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ। ବିଧାୟିକା ସୋଫିଆ ଫିର୍ଦୋସ୍ କହିଥିଲେ, ମହିଳା ବିରୋଧୀ ଅପରାଧ ପାଇଁ ଆଜି ଓଡ଼ିଶା ଚର୍ଚ୍ଚାରେ ରହିଛି। ଏଫ୍ଏମ୍ କଲେଜର ଜଣେ ଛାତ୍ରୀ ଯୌନ ଅନୁଗ୍ରହ ପାଇଁ ପ୍ରାର୍ଥନା କରୁଥିବା ଜଣେ ଏଚ୍ଓଡିଙ୍କ ବିରୋଧରେ ସ୍ବର ଉଠାଇଲେ। କିନ୍ତୁ ଯେତେବେଳେ ସେ ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିପାରିଲେ ନାହିଁ ସେ ନିଜକୁ ନିଆଁ ଲଗାଇ ଦେଲେ। ବ୍ୟବସ୍ଥାରେ ଛନ୍ଦି ହୋଇ ସେ ନିଜ ଜୀବନକୁ ବାଜି ଲଗାଇଛନ୍ତି, ଯାହା ଦ୍ବାରା ଓଡ଼ିଶାର ବିଫଳ ବ୍ୟବସ୍ଥାର ପର୍ଦାଫାସ ହୋଇଛି ବୋଲି ସୋଫିଆ କରିଥିଲେ। ମାମଲାର ନ୍ୟାୟିକ ତଦନ୍ତ ପାଇଁ ସେ ଦାବି କରିଥିଲେ।
ମିଛ ସମବେଦନା ଶୋଭା ପାଉନାହିଁ: ବିଜେପି
ମହିଳା କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ
ଭୁବନେଶ୍ୱର: ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦୋସ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବା ପ୍ରସଙ୍ଗରେ ବିଜେପିର ରାଜ୍ୟସଭା ସାଂସଦ ମମତା ମହାନ୍ତ କଂଗ୍ରେସକୁ ପାଲଟା ଆକ୍ରମଣ କରିଛନ୍ତି। ଶ୍ରୀମତୀ ମହାନ୍ତ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ବିଷୟ। ସେ ଝିଅ ଏବେ ମରଣ ସହ ସଂଘର୍ଷ କରୁଛି। ବର୍ତ୍ତମାନ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ନିଜ ସଂଯମତା ରଖି ଅଭିବ୍ୟକ୍ତି ରଖିବା। ସଦାବେଳେ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଥିବା କଂଗ୍ରେସର ମିଛ ସମବେଦନା ଏବେ ଶୋଭା ପାଉନାହିଁ।
ଏହା ସହ ସେ କହିଛନ୍ତି, ଏହି ଅଭାବନୀୟ ଘଟଣାରେ ରାଜ୍ୟ ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସ୍ସି-ଏସ୍ଟି-ଓବିସି ବିରୋଧୀ। କଂଗ୍ରେସ ନେତ୍ରୀ ଏହି ମାମଲାରେ ଓଡ଼ିଶା ସରକାରଙ୍କୁ ଯେଉଁ ସମାଲୋଚନା କରିଛନ୍ତି ତାଙ୍କୁ ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ସମ୍ପର୍କରେ ଜଣାନାହିଁ। ବିଜେ଼ଡି ଓ କଂଗ୍ରେସ ଏହି ଘଟଣାକୁ ରାଜନୈତିକ ମୋଡ଼ ଦେବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ଓ ବିଜେଡ଼ି ସରକାରରେ ପରୀ, ପିହୁ, ମମିତା, ଇତିଶ୍ରୀ, ବେବିନା, ସସ୍ମିତା, ରୁଚିକା, ସ୍ମିତାରାଣୀ, ଅଞ୍ଜନା, ମାଧବିଲତାଙ୍କ ହତ୍ୟା ଓ ନିର୍ଯାତନା ହୋଇଛି। ଏହି କଥାକୁ କଂଗ୍ରେସ ଓ ବିଜେଡି ଭୁଲିଗଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।