ବାହାନଗା ଟ୍ରେନ ଦୁର୍ଘଟଣାରେ ୨୬୧ଜଣକର ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଗଲେ ଏହି ୧୧୦ଜଣିଆ ଗ୍ରୁପ

ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା କଥା ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ୨୬୧ଜଣକର ମୃତଦେହ ମିଳିଥିବା ବେଳେ ପ୍ରାୟ ୧୦୦୦ଜଣ ଆହତ ହୋଇଛନ୍ତି। ୩ଟି ଟ୍ରେନ ଦୁର୍ଘଟଣାରେ ବିଭିନ୍ନ ପରିବାର ୨୬୧ଜଣକୁ ହରାଇଥିବା ବେଳେ ସେ ମଧ୍ୟରେ ଏକ ୧୧୦ଜଣିଆ ଗ୍ରୁପ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୁରକ୍ଷିତ ଥିବା ୧୧୦ଜଣିଆ ଗ୍ରୁପ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଚିକ୍କମଗଲୁରୁରୁ ଏହି ୧୧୦ଜଣିଆ ଗ୍ରୁପ ଟ୍ରେନରେ ଚଢ଼ିଥିଲେ। ଏମ‌ାନେ ହାୱଡା ଦେଇ ଝାଡଖଣ୍ଡର ସମ୍ମେଦ ଶିଖରଜୀକୁ ଯାଉଥିଲେ ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ଅଳ୍ପ ବଗି କ୍ଷତିଗ୍ରସ୍ତ ହୋଇଛି। ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସରେ ଯାତ୍ରା କରୁଥିବା ମାତ୍ର କିଛି ଯାତ୍ରୀ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ହୋଇନଥିବା କୁହାଯାଉଛି।

ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଏବେ ରେଳବାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଦେଖାଯାଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର