ନୂଆଦିଲ୍ଲୀ: ଦେଶରେ ଇଭିଏମ୍ ପରିବର୍ତେ ବ୍ୟାଲଟ ପେପରରେ ଭୋଟ୍ ପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ଦାବି କରାଯାଉଛି। ବିଶେଷକରି ନିକଟରେ ଜଣେ ଆତ୍ମ ଘୋଷିତ ସାଇବର ବିଶେଷଜ୍ଞ ସୟେଦ ସୁଜା ଗତ ସାଧାରଣ ନିର୍ବାଚନରେ ଇଭିଏମ୍ ହ୍ୟାକିଂ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ପରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବ୍ୟାଲଟ ପେପରରେ ଭୋଟ କରିବା ଲାଗି ଦାବି କରୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ବାଚନ କମିସନ କାହାରି ଧମକରେ ଡରିଯିବେ ନାହିଁ। ଡରିଯାଇ ଇଭିଏମ ପରିବର୍ତେ ବ୍ୟାଲଟ ପେପର୍‌ରେ ଭୋଟ ଯୁଗକୁ ଫେରିଯିବେ ନାହିଁ। ଇଭିଏମ୍‌ ପ୍ରସଙ୍ଗକୁ ଫୁଟବଲ୍ ଭଳି ବ୍ୟବହାର କରାଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ସେ ଏହି ଅବସରରେ ସ୍ପଷ୍ଟ କରିଦେଇଛନ୍ତି, କେବଳ ସେ ନୁହେଁ, ସମ୍ପୂର୍ଣ୍ଣ ନିର୍ବାଚନ ଆୟୋଗ, ଅତୀତର ନିର୍ବାଚନ ଆୟୋଗ ଏବଂ ଭବିଷ୍ୟତର ନିର୍ବାଚନ ଆୟୋଗ ମଧ୍ୟ ବ୍ୟାଲଟ ପେ‌ପରରେ ଭୋଟଦାନ ପ୍ରକ୍ରିୟାକୁ ଫେରିଯିବେ ନାହିଁ। ସେ କହିଛନ୍ତି, ବ୍ୟାଲଟ ପେପର ଛଡ଼ାଇ ନେବା, ଭୋଟ ଗଣତି ବିଳମ୍ବ ହେବା ଏବଂ ଭୋଟଦାନ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଧିକାରୀଙ୍କୁ ହଇରାଣ କରିବା ‌ଯୁଗକୁ ଆମେ ଆଉ ଫେରିବୁ ନାହିଁ। ଶୁକ୍ରବାର ଜାତୀୟ ମତଦାନ ଦିବସର ଅବ୍ୟବହିତ ପୂର୍ବରୁ ଏଠାରେ ଆୟୋଜିତ ଏକ ଅନ୍ତର୍ଜାତୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ଅରୋରା ଏହା କହିଛନ୍ତି। ତେବେ ରାଜନୈତିକ ଦଳ ସମେତ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ଯେକୌଣସି ପକ୍ଷଠାରୁ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ମତାମତ ଗ୍ରହଣ କରିବା ଲାଗି ତାଙ୍କ ଦ୍ବାର ଖୋଲା ରଖିଛନ୍ତି ‌ବୋଲି ସେ କହିଛନ୍ତି। ତେବେ ସେହି ସମୟରେ ନିର୍ବାଚନ କମିସନ କାହାରି ଚାପରେ ବା ଭୟରେ ପ୍ରଭାବିତ ହୋଇ ଇଭିଏମ ଏବଂ ଭିଭିପିଏଟି ବ୍ୟବସ୍ଥାକୁ ଛାଡ଼ି ବ୍ୟାଲଟ ପେପର ଯୁଗକୁ ଫେରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।