ଗୟା: ବାହାଘର ବେଳେ ଚନ୍ଦାମୁଣ୍ଡିଆ ବୋଲି ଜଣାପଡ଼ିବା ପରେ ବିହାରର ଗୟା ଜିଲ୍ଲାରେ କନ୍ୟାଘର ଲୋକେ ବରଙ୍କୁ ବହେ ମାଡ଼ ଦେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଉଲ୍ଲେଖଯୋଗ୍ୟ, ଚନ୍ଦା ମୁଣ୍ଡ ଲୁଚାଇବା ଲାଗି ବର ‘ୱିଗ୍’ ବା ‘ପରଚୂଳା’ ଲଗାଇଥିଲେ। ସମଗ୍ର ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଭିଡିଓରେ କନ୍ୟାଘର ଲୋକେ ବରଙ୍କୁ ଗାଳିମନ୍ଦ ଦେଇ ମାଡ଼ ମାରୁଥିବା ଦେଖାଯାଉଛି। ବର ମଧ୍ୟ ଯୋଡ଼ହସ୍ତରେ କାକୁତିମିନତି କରୁଛନ୍ତି। କିନ୍ତୁ, କନ୍ୟାଘର ଲୋକେ ଦୟାମାୟା ନ ଦେଖାଇ ତାଙ୍କୁ ନୃଶଂସ ଭାବେ ନିସ୍ତୁକ ମାଡ଼ ଦେଉଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବର ହେଉଛନ୍ତି ଗୟାର ଇକ୍ବାଲ୍ପୁର ଅଞ୍ଚଳର ବାସିନ୍ଦା। ଦ୍ବିତୀୟ ବିବାହ ପାଇଁ ଗୟାର ଧୋବି ଥାନା ଅନ୍ତର୍ଗତ ବାଜୌରା ଗାଁ’କୁ ଯାଇଥିଲେ। ଚନ୍ଦାମୁଣ୍ଡ ଲୁଚାଇବା ପାଇଁ ସେ ‘ପରଚୂଳା’ ପିନ୍ଧି ତା’ଉପରେ ‘ଶେହ୍ରା’ (ପଗଡ଼ି) ବାନ୍ଧିଥିଲେ। ବର ଚନ୍ଦା ବୋଲି କୌଣସି କାରଣରୁ ସନ୍ଦେହ ହେବାରୁ କନ୍ୟାଘର ଲୋକେ ତାଙ୍କ ‘ପରଚୂଳା’ ଟାଣି ପକାଇବାରୁ ସତ କଥା ଜଣାପଡ଼ିଗଲା।
ଉପସ୍ଥିତ କନ୍ୟା ଘର ଲୋକେ ଉତ୍କ୍ଷିପ୍ତ ହୋଇ ବରଙ୍କୁ ମାରଧର କରୁଥିବା ବେଳେ ଅଳ୍ପ କେତେ ଜଣ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।
ପୁଣି, ପ୍ରଥମ ସ୍ତ୍ରୀ ଥାଇ ସେ ବର ଦ୍ବୀତିୟ ବାହା ହେଉଥିବା କଥା ସେହି ସମୟରେ କୌଣସିସୂତ୍ରରୁ ଜାଣିବା ପରେ କନ୍ୟାଘର ଲୋକେ ଆହୁରି ଉତ୍କ୍ଷିପ୍ତ ହୋଇଯାଇଥିଲେ। ତେଣୁ, ସେମାନେ କ୍ଷମା କରିବା ପରିସ୍ଥିତିରେ ନ ଥିଲେ।