ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣା: ବିଶ୍ବ ସ୍ତବ୍ଧ

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗାରେ ଘଟିଥିବା ଅତି ଭୟାନକ ଟ୍ରେନ୍‌ ଦୁର୍ଘଟଣା ପୂରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ବିଶ୍ବ ନେତାମାନେ ଗଭୀର ଶୋକ ବ୍ୟକ୍ତ କରିବା ସହ ସହଯୋଗ ପାଇଁ ପ୍ରସ୍ତାବ ରଖିଛନ୍ତି। ବିଭିନ୍ନ ରାଷ୍ଟ୍ରମୁଖ୍ୟ ଭାରତର ନାଗରିକଙ୍କ ପ୍ରତି ସହାନୁଭୂତି ଓ ସମବେଦନା ପ୍ରକଟ କରିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ ୱେନ୍‌, ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲ, ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନ୍ନି ୱଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପ୍ରମୁଖ ନେତାମାନେ ଏହି ଟ୍ରେନ୍‌ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ତାଇ ଇଙ୍ଗ ୱେନ୍‌ (ତାଇୱାନ ରାଷ୍ଟ୍ରପତି)
ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ସମସ୍ତ ପ୍ରଭାବିତଙ୍କ ପାଇଁ ମୋର ପ୍ରାର୍ଥନା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା । ଆଶା କରୁଛି ‌‌ଯେ ଉଦ୍ଧାର ଅପରେସନ୍‌ ଦ୍ବାରା ଆହୁରି ଅନେକ ଲୋକଙ୍କ ଜୀବନ ବଞ୍ଚିଯିବ।

ଚାର୍ଲସ ମିସେଲ (ୟୁରୋପୀୟ ପରିଷଦ ସଭାପତି)
ଓଡ଼ିଶାରେ ହୋଇଥିବା ଭୟଙ୍କର ଦୁର୍ଘଟଣା ପାଇଁ ଭାରତର ଜନସାଧାରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ଗଭୀର ସମବେଦନା। ଏଭଳି ଦୁଃଖଦ ସମୟରେ ଆମେ ଆପଣମାନଙ୍କ ସହ ରହିଛୁ ଏବଂ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଯେକୌଣସି ଉପାୟରେ ୟୁ‌ରୋପୀୟ ରାଷ୍ଟ୍ରସଂଘ ସହଯୋଗ କରିବାପାଇଁ ପ୍ରସ୍ତୁତ।

ଜଷ୍ଟିନ ଟ୍ରୁଡୁ (କାନାଡ଼ା ପ୍ରଧାନମନ୍ତ୍ରୀ)
ଓଡ଼ିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାର ଦୃଶ୍ୟ ମୋ ହୃଦୟକୁ ଭାଙ୍ଗି ଦେଇଛି। ନିଜ ଭଲପାଉଥିବା ମଣିଷଙ୍କୁ ହରାଇ ‌ ଦେଇଥିବା ଲୋକ ଏବଂ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା। ଏଭଳି ଏକ ଜଟିଳ ସମୟରେ କନାଡ଼ାର ଜନସାଧାରଣ ଭାରତବାସୀଙ୍କ ସହ‌ ରହିଛନ୍ତି।

ଫୁମିଓ କିଶିଡ଼‌ା (ଜାପାନ ପ୍ରଧାନମନ୍ତ୍ରୀ)
ଓଡ଼ିଶାରେ ହୋଇଥିବା ‌ଟ୍ରେନ୍‌ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଚାଲିଯିବା ଘଟଣାରେ ଏବଂ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଁ ଗଭୀର ଭାବେ ମର୍ମା‌ହତ। ଜାପାନ ସରକାର ଏବଂ ଜାପାନ ଲୋକଙ୍କ ପକ୍ଷରୁ ଓଡ଼ିଶାର ଲୋକମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।

ଭ୍ଲାଦିମିର ପୁଟିନ (ରୁଷ ରାଷ୍ଟ୍ରପତି)
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୋକବାର୍ତ୍ତା ପଠାଇଛନ୍ତି ବୋଲି ରୁଷ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଏଭଳି ଏକ ଦାରୁଣ ଦୁର୍ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଇ ଦେଇଥିବା ବ୍ୟକ୍ତିବିଶେଷଙ୍କ ସହ ଆମେ ରହିଛୁ ଏବଂ ଆହତଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ବୋଲି ପୁଟିନ କହିଛନ୍ତି।

ଋଷି ସୁନକ (ବ୍ରିଟେନ ପ୍ରଧାନମନ୍ତ୍ରୀ)
ଓଡ଼ିଶାରେ ହୋଇଥିବା ଦୁର୍ଘଟଣା ଯୋଗୁଁ ସମସ୍ତ ପ୍ରଭାବିତଙ୍କ ପାଇଁ ମୋର ପ୍ରାର୍ଥନା। ଏହି ଦୁଃଖଦ ସମୟରେ ଆମେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତବାସୀଙ୍କ ସହିତ ରହିଛୁ। ଦୁର୍ଘଟଣାରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା। ଦୁର୍ଘଟଣାରୁ ବଞ୍ଚି ଯାଇଥିବା ବ୍ୟକ୍ତି ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବ୍ୟକ୍ତିଙ୍କୁ ମୋର ହୃଦୟରୁ ସମର୍ଥନ।

ଏରିକ ଗାରସେଟ୍ଟି, (ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ)
ଭାରତରେ ଅବସ୍ଥାପିତ ଆମେରିକା ମିସନ୍‌ ପକ୍ଷରୁ ମୁଁ ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଏକ ଦୁଃଖଦ ସ୍ଥିତିରେ ଆମେ ଭାରତ ତଥା ଓଡ଼ିଶାର ଲୋକମାନଙ୍କ ସହ ରହିଛୁ।

ଡେନିସ ଆଲିପଭ (ଭାରତରେ ରୁଷ୍‌ ରାଷ୍ଟ୍ରଦୂ)
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପାଇଁ ମୋର ଗଭୀର ସମବେଦନା। ଆହତଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।

ହୁଆ ଚୁନିଙ୍ଗ ( ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର)
ଭାରତର ଏହି ଟ୍ରେନ୍‌ ଦୁର୍ଘଟଣା ହୃଦୟବିଦାରକ। ଦୁର୍ଘଟଣାରେ ପ୍ରାଣ ହାରିଥିବା ଏବଂ ଆହତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା।

ଶେହବାଜ ସରିଫ (ପାକିସ୍ତାନ ପ୍ରଧାନମନ୍ତ୍ରୀ)
ଭାରତରେ ହୋଇଥିବା ‌ଟ୍ରେନ୍‌ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସାବା କୋରୋସି (ଜାତିସଂଘ ସାଧାରଣ ଅଧିବେଶନ ସଭାପତି)
ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଭାରତର ନାଗରିକ ଏବଂ ଭାରତ ସରକାରଙ୍କୁ ଗଭୀର ସମବେଦନା। ମୃତକ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କ ପାଇଁ ମୋର ପ୍ରାର୍ଥନା।

ସମ୍ବନ୍ଧିତ ଖବର