ବାଲିଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ ସତର୍କତା ଜାରି

କାରାଙ୍ଗାସେମ୍‌: ଇଣ୍ଡୋନେସିଆର ବାଲିଦ୍ୱୀପରେ ଯେ କୌଣସି ସମୟରେ ଆଗ୍ନେୟଗିରି ଉଦ୍‌ଗୀରଣ ଭୀଷଣ ହୋଇପାରେ ବୋଲି ସୋମବାର ଦିନ ଅଧିକାରୀମାନେ ସତର୍କ ସୂଚନା ଜାରି କରିଛନ୍ତି।

ପର୍ଯ୍ୟଟନ ପେଣ୍ଠ କୁତା ଠାରୁ ୭୫ କିଲୋମିଟର ଦୂରରେ ଅବସ୍ଥିତ ଆଗଙ୍ଗ୍‌ ପର୍ବତର ଚଉହଦି ୧୦ କିଲୋମିଟର ଯାଏ ଅଞ୍ଚଳକୁ ଏସ୍‌କ୍ଲୁଜନ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ତେଣୁ ସେ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘରଦ୍ୱାର ଛାଡ଼ି ପଳାଇବାକୁ କୁହାଯାଇଛି।

ଦେଶର ବରିଷ୍ଠ ଆଗ୍ନେୟଗିରି ଉଦ୍‌ଗୀରଣବିତ ଗେଡେ ସୁଆନ୍ତିକା କହିଛନ୍ତି: ଉଦ୍‌ଗୀରଣ ଚେତାବନୀ ସର୍ବୋଚ୍ଚ ସ୍ତରକୁ ଉଠିଛି। ସବୁ ସମୟରେ ଭୂକମ୍ପନ ଅନୁଭୂତ ହୋଇପାରେ।

ମଙ୍ଗଳବାର ଠାରୁ ଆଗ୍ନେୟଗିରିରୁ ବଡ଼ ବଡ଼ ଧୂଅାଁ କୁଣ୍ଡଳୀ ବାହାରୁଛି। ସୋମବାର ସକାଳେ ଘନ ଧୂସର ରଙ୍ଗର ଏହି ଧୂଅାଁ ୧୧, ୧୫୪ ଫୁଟ୍‌ ଉଚ୍ଚକୁ ଉଠୁଛି ବୋଲି ସୁଆନ୍ତିକା କହିଛନ୍ତି।

ଧୂଅାଁ ଉଠିବାରୁ ମଙ୍ଗଳବାର ଠାରୁ ପର୍ବତ ଆଖପାଖରେ ବସବାସ କରୁଥିବା ପ୍ରାୟ ୨୫ ହଜାର ଲୋକ ଇତି ମଧ୍ୟରେ ସେମାନଙ୍କ ଘରଦ୍ୱାର ଛାଡ଼ି ଚାଲିଗଲେଣି।

ଆଗ୍ନେୟଗିରିରୁ ସବୁବେଳେ ଧୂଅାଁ ଉଠୁଛି। ବେଳେ ବେଳେ କମ୍‌ ଶବ୍ଦ ସହ ଗଳିତ ଧାତୁ ବାହାରି ଆସୁଥିବା କଥା ନ୍ୟାସ୍‌ନାଲ୍‌ ବୋର୍ଡ ଫର୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଫେସ୍‌ବୁକ୍‌ରେ ଲେଖିଛି।

ଧୀରସ୍ଥିର ହୋଇ ରହିବାକୁ ନ୍ୟାସ୍‌ନାଲ୍‌ ବୋର୍ଡ ଫର୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ର ମୁଖପାତ୍ର ଜନସାଧାରଣଙ୍କୁ କହିଛନ୍ତି।

ବାଲିଦ୍ୱୀପର ରାଜଧାନୀ ଦେନ୍ପାସାର୍‌ ଠାରେ ଥିବା ବିମାନ ବନ୍ଦର ବନ୍ଦ କରି ଦିଆଯାଇଛି।

୧୯୬୩ରେ ଶେଷ ଥର ପାଇଁ ଆଗଙ୍ଗ୍‌ ପର୍ବତ ଶୃଙ୍ଗରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଥିଲା। ଏଥିଯୋଗୁଁ ୧୬୦୦ ଲୋକ ମରିଥିଲେ।
ଗତ ସେପ୍ଟେମ୍ବର ମାସରେ ଉଦ୍‌ଗୀରଣ ଆଶଙ୍କା ଦେଖା ଯିବାରୁ ଅଧିକାରୀମାନେ ଆଖପାଖରୁ ୧୪୦, ୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଅକ୍ଟୋବର ମାସରେ ଉଦ୍‌ଗୀରଣ ଆଶଙ୍କା କମିଯିବାରୁ ଲୋକେ ନିଜ ନିଜର ଘରକୁ ଫେରି ଆସିଥିଲେ।

କିନ୍ତୁ, ପୁଣି ଗତ ମଙ୍ଗଳବାର ଦିନ ଆଗଙ୍ଗ୍‌ ଶୃଙ୍ଗରେ କମ୍ପନ ଆରମ୍ଭ ହୋଇଛି।

ଇଣ୍ଡୋନେସିଆରେ ଥିବା ୧୨୦ରୁ ଊର୍ଦ୍ଧ୍ୱ ଜୀବନ୍ତ ଆଗ୍ନେୟଗିରି ମଧ୍ୟରୁ ଆଗଙ୍ଗ୍‌ ଶୃଙ୍ଗ ଗୋଟିଏ।

ସମ୍ବନ୍ଧିତ ଖବର