ବଳିଆକୁ ଦୁଇଦିନ ହେଲା ଜ୍ୱର

ନୂଆଦିଲ୍ଲୀ : ଜଗା ବଳିଆ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବାର ଆଜି ବର୍ଷେ ପୂରଣ ହୋଇଛି। ଗତବର୍ଷ ଜୁଲାଇ ୧୪ ତାରିଖରେ ଯୋଡ଼ାମୁଣ୍ଡ ଅବସ୍ଥାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ମିଲିପଡ଼ା ଗ୍ରାମର ଜଗା ବଳିଆଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଭାରତୀୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଜଗା ବଳିଆଙ୍କ ଯୋଡ଼ା ମୁଣ୍ଡ ଅଲଗା କରିବା ଅତ୍ୟନ୍ତ ଜଟିଳ ଓ କଷ୍ଟକର ବ୍ୟାପାର ଥିଲା। କିନ୍ତୁ ଏମ୍ସ ଡାକ୍ତରମାନେ ଯୋଡ଼ାମୁଣ୍ଡକୁ ଅଲଗା କରିବାରେ ଅଭୂତପୂର୍ବ ସଫଳତା ହାସଲ କରିଥିଲେ। ଦୁଇଟି ପର୍ଯ୍ୟାୟ ଅସ୍ତ୍ରୋପଚାରରେ ଯୋଡ଼ାମୁଣ୍ଡ ଅଲଗା କରାଯାଇଥିଲା। ଅସ୍ତ୍ରୋପଚାର ପରେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅଗ୍ରଗତି ହୋଇଥିବା ବେଳେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସନ୍ତୋଷଜନକ ସୁଧାର ଆସିପାରି ନାହିଁ। ଗତ ଦୁଇଦିନ ହେଲା ବଳିଆକୁ ସଂକ୍ରମଣ ଯୋଗୁଁ ଜ୍ୱର ହୋଇଥିବା ତାଙ୍କ ବାପା ଭୁୟାଁ କହଁର ସୂଚନା ଦେଇଛନ୍ତି। ଡାକ୍ତରମାନେ ବଳିଆର ରକ୍ତ ପରୀକ୍ଷା ପାଇଁ ନମୁନା ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସି ନଥିବା ଜଣାପଡ଼ିଛି। ଏ ନେଇ ଜଗା ବଳିଆଙ୍କ ବାପା ମା’ ଚିନ୍ତିତ ଅଛନ୍ତି। ଆଜି ଏମ୍ସରେ ବର୍ଷ ପୂର୍ତ୍ତି ଅବସରରେ ଜଗା ବଳିଆଙ୍କ ବାପା ମା’ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ। ଏମ୍ସରୁ ଜଗା ବଳିଆଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଡିସ୍‌ଚାର୍ଜ କରାଯିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର