ଇସଲାମାବାଦ: ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ର ପ୍ରଭାବରୁ ମୁକୁଳି ପାରୁନଥିବା ପାକିସ୍ତାନ ଏବେ ବଲୋଚ ବିଦ୍ରାହୀଙ୍କ ଆଡ଼ୁ ଆଉ ଏକ ବଡ଼ ଝଟ୍‌କା ପାଇଛି।  ବଲୁଚିସ୍ତାନରେ ଚାଲିଥିବା ବିଦ୍ରୋହ ପାକିସ୍ତାନର ମୂଳଦୁଆକୁ ଦୋହଲାଇ ଦେଇଛି। ପାକିସ୍ତାନର ସୁରବ ସହରର ଅଧିକାଂଶ ଅଂଚଳକୁ ବିଦ୍ରୋହୀମାନେ ନିୟନ୍ତ୍ରଣ  କରିନେଇଛନ୍ତି।    ପୁଲିସ ଓ ପ୍ରଶାସନିକ କୋଠା ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ବିଦ୍ରୋହୀମାନେ ନିଜ ନିୟସ୍ତ୍ରଣରେ ରଖିଛନ୍ତି। ବିଦ୍ରୋହୀମାନେ ଏକ ବଡ଼ ଅଭିଯାନ ଦ୍ବାରା  ପାକ୍ ସେନାର ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି। ବିଦ୍ରୋହୀ ସଙ୍ଗଠନର ମୁଖପାତ୍ର ଜିଆନ୍ଦ ବଲୋଚ ଏକ ବିବୃତିରେ କହିଛନ୍ତି ଯେ ଏହି ଅପରେସନ ପାକିସ୍ତାନର ସାମରିକ, ପ୍ରଶାସନିକ ଏବଂ ଆର୍ଥିକ ପ୍ରତିଷ୍ଠାନକୁ ଟାର୍ଗେଟ କରି କରାଯାଇଥିଲା ଏବଂ ଏଥିରେ ଆମକୁ ସଫଳତା ମିଳିଛି।
ବିଦ୍ରୋହୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଥାନା, ଡେପୁଟି କମିସନରଙ୍କ କାର୍ଯ୍ୟାଳୟ, ସରକାରୀ ଗେଷ୍ଟ ହାଉସ୍ ଓ ସ୍ଥାନୀୟ ବ୍ୟାଙ୍କକୁ ଦଖଲ କରିବା ସହ ବିଭିନ୍ନ ସ୍ଥାନରେ ସ୍ବାଧୀନ ବଲୁଚିସ୍ତାନର ପତାକା ଉଡ଼ାଇଛନ୍ତି।

Advertisment

ଅନେକ ସରକାରୀ ଗାଡ଼ି, ବ୍ୟାଙ୍କ, ଗୋଦାମ ଓ ଗେଷ୍ଟ ହାଉସରେ ନିଆଁ ଲଗାଇ ଦିଆଯାଇଛି ଏବଂ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ଘଟିଛି।   ବିଦ୍ରୋହୀଙ୍କ ମୁକାବିଲାରେ ଜଣେ ଡେପୁଟି କମିସନର ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି। ବଲୋଚ ବିଦ୍ରୋହୀ  ଏହି ଅପରେସନ ପରେ କ୍ୱେଟା-କରାଚୀ ଏବଂ ସୁରବ-ଗିଦର ରାଜପଥରେ ସ୍ବତନ୍ତ୍ର ଚେକପୋଷ୍ଟ ସ୍ଥାପନ କରିଛନ୍ତି ଏବଂ ସମଗ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି।   ପାକିସ୍ତାନୀ ସୁରକ୍ଷା ବାହିନୀ ପାଇଁ  ଏହା ଏକ ବଡ଼ ବିପର୍ଯ୍ୟୟ ଆଣିଥିବା ବେଳେ  ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ପାକିସ୍ତାନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଛି।  ବିଦ୍ରୋହୀଙ୍କ ଏହି ଅଭିଯାନ ବଲୁଚ ଜାତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅଂଶ ଏବଂ ପାକିସ୍ତାନର ପ୍ରତ୍ୟେକ  ଅନୁଷ୍ଠାନକୁ  ଆମେ ଟାର୍ଗେଟ୍‌ କରିବୁ ବୋଲି ବରି‌ଷ୍ଠ ବଲୋଚ ନେତାମାନେ କହିଛନ୍ତି।