ଇସଲାମାବାଦ: ବଲୋଚ ଲିବରେସନ୍‌ ଆର୍ମି (ବିଏଲ୍‌ଏ) ଆଞ୍ଚଳିକ ପରିବର୍ତ୍ତନ ନେଇ ଚେତାବନୀ ଦେଇ କହିଛି ଯେ ଦକ୍ଷିଣ ଏସିଆରେ ଏକ ନୂତନ ବ୍ୟବସ୍ଥା ଅନିବାର୍ଯ୍ୟ ହୋଇପଡିଛି। ଏହାବ୍ୟତୀତ ବିଏଲ୍‌ଏ ଦାବି କରିଛି ଯେ ସେମାନେ ଅଧିକୃତ ବଲୁଚିସ୍ତାନର ୫୧ରୁ ଅଧିକ ସ୍ଥାନରେ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରି ୭୧ଟି ସମନ୍ୱିତ ଆକ୍ରମଣ କରିଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଶାନ୍ତିର ବାହାନା କରୁଛି । ଭାରତକୁ ସିଧାସଳଖ ସମ୍ବୋଧିତ କରି ବିଏଲ୍‌ଏ କହିଛି, ଶାନ୍ତି, ଅସ୍ତ୍ରବିରତି ଓ ଭାଇଚାରା ବିଷୟରେ ପାକିସ୍ତାନ କହୁଥିବା ପ୍ରତ୍ୟେକ କଥା କେବଳ ଏକ ପ୍ରତାରଣା, ଯୁଦ୍ଧ କୌଶଳ ଓ ଅସ୍ଥାୟୀ ଅଭ୍ୟାସ। 

Advertisment

ଅନ୍ୟ ଏକ ବିବୃତିରେ ସଂଗଠନ ଦାବି କରିଛି ଯେ ଏହା ପାକିସ୍ତାନୀ ସାମରିକ ଘାଟିଗୁଡ଼ିକ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ବିଏଲ୍‌ଏ ମୁଖପାତ୍ର ଜିୟାନ୍ଦ ବଲୋଚଙ୍କ କହିବା ଅନୁସାରେ, ଚଳିତ ସପ୍ତାହ ପ୍ରାରମ୍ଭରେ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ଚରମ ସୀମାରେ ଥିବାବେଳେ ବିଏଲ୍‌ଏ ପାକ୍ ସେନା ପାଇଁ ଆଉ ଏକ ମୋର୍ଚ୍ଚା ଖୋଲିଥିଲା ଏବଂ ଅଧିକୃତ ବଲୁଚିସ୍ତାନର ୫୧ରୁ ଅଧିକ ସ୍ଥାନରେ ୭୧ଟି ସମନ୍ୱିତ ଆକ୍ରମଣ କରିଥିଲା। ପାକିସ୍ତାନର ସାମରିକ ଓ ଗୁଇନ୍ଦା ପ୍ରତିଷ୍ଠାନ ଆଇଏସ୍‌ଆଇକୁ ଆତଙ୍କବାଦର ପ୍ରଜନନସ୍ଥଳୀ ବୋଲି ବିଏଲ୍‌ଏ ଅଭିଯୋଗ କରିଛି। ପାକିସ୍ତାନ କେବଳ ବିଶ୍ୱ ଆତଙ୍କବାଦୀଙ୍କ ପ୍ରଜନନସ୍ଥଳୀ ନୁହେଁ ବରଂ ଏଲ୍‌ଇଟି, ଜେଇଏମ୍‌ ଓ ଆଇଏସ୍ଆଇଏସ୍ ଭଳି ମାରାତ୍ମକ ଆତଙ୍କବାଦୀ ସଂଗଠନର ରାଷ୍ଟ୍ର-ପ୍ରାୟୋଜିତ ବିକାଶପାଇଁ ମଧ୍ୟ ଏକ କେନ୍ଦ୍ର ପାଲଟିଛି।