ନୂଆଦିଲ୍ଲୀ: ଅମଲାତନ୍ତ୍ର ନିଯୁକ୍ତିରେ ୟୁପିଏସ୍‌ସିରେ 'ଲାଟେରାଲ୍ ଏଣ୍ଟ୍ରି' ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାର ୟୁପିଏସ୍‌ସି ଲାଟେରାଲ୍ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି।
ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଅମଲାତନ୍ତ୍ର ନିଯୁକ୍ତିରେ ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ସଂରକ୍ଷଣ ସ୍ଥାନ ଛଡ଼ାଇ ନିଆଯାଉଛି। ବର୍ତ୍ତମାନ କାର୍ମିକ ମନ୍ତ୍ରଣାଳୟ ୟୁପିଏସ୍‌ସି ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛି।

Advertisment

ଏନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଡକ୍ଟର ଜିତେନ୍ଦ୍ର ସିଂ କେନ୍ଦ୍ର ଜନସେବା ଆୟୋଗକୁ ଏକ ଚିଠି ଲେଖିଛନ୍ତି। ଚିଠିରେ ମନ୍ତ୍ରୀ ଲାଟେରାଲ୍ ଏଣ୍ଟ୍ରି ଆଧାରରେ କରାଯାଇଥିବା ନିଯୁକ୍ତି ପ୍ରତ୍ୟାହାର କରିବାକୁ କେନ୍ଦ୍ର ଜନସେବା ଆୟୋଗକୁ କହିଛନ୍ତି। ଚିଠିରେ କୁହାଯାଇଛି ଯେ ଲାଟେରାଲ୍ ଏଣ୍ଟ୍ରି ଆଧାରରେ କରାଯାଇଥିବା ନିଯୁକ୍ତିରେ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଏହାକୁ ପ୍ରତ୍ୟାହାର କରାଯିବା ଉଚିତ୍।

ଚିଠିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ପଦବୀରେ ଏଭଳି ନିଯୁକ୍ତି ପାଇଁ ସମ୍ବିଧାନରେ ସଂରକ୍ଷିତ ସାମାଜିକ ନ୍ୟାୟ ଏବଂ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି। ତେଣୁ ଏହି ବିଜ୍ଞାପନ ପ୍ରତ୍ୟାହାର କରାଯିବା ଉଚିତ୍। ସାମାଜିକ ନ୍ୟାୟ ପ୍ରତି ସାମ୍ବିଧାନିକ ଆଦେଶ ବଜାୟ ରଖିବାର କେନ୍ଦ୍ର ମଧ୍ୟ ଚିଠିରେ ଦର୍ଶାଇଛି। କେନ୍ଦ୍ର କହିଛି ଯେ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ସେବାରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବାକୁ ନିଶ୍ଚିତ କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ଅଗଷ୍ଟ୧୭ ରେ, କେନ୍ଦ୍ର ଜନସେବା ଆୟୋଗ ଲାଟେରାଲ୍ ନିଯୁକ୍ତି ଆଧାରରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଥିଲେ। ଯାହାକୁ କଂଗ୍ରେସ ସମେତ ବିରୋଧୀ ଦଳ ଦୃଢ଼ ବିରୋଧ କରିଥିଲେ। ବିରୋଧୀ କହିତବଲେ ଯେ ଏହା ସଂରକ୍ଷଣକୁ ସମାପ୍ତ କରିବ ଏବଂ ସାମାଜିକ ନ୍ୟାୟ ପ୍ରସଙ୍ଗ ଅସମ୍ପୂର୍ଣ୍ଣ ରହିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ ବିରୋଧ କରିଥିଲେ। ସେ କହିଥିଲେ ଏହା ଦ୍ବାରା ଦଳିତ, ଆଦିବାସୀ ଏବଂ ପଛୁଆ ଶ୍ରେଣୀରୁ ସଂରକ୍ଷଣ ଛଡ଼ାଇବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି, ଯାହା ଗ୍ରହଣୀୟ ନୁହେଁ।

ୟୁପିଏସ୍‌ସି ପକ୍ଷରୁ ବିଭିନ୍ନ ସରକାରୀ ବିଭାଗରେ ବିଶେଷଜ୍ଞ ନିଯୁକ୍ତି ପାଇଁ ୪୫ଟି ପଦବୀ ପାଇଁ ବିଜ୍ଞାପନ ଦେଇଥିଲା। ଏହି ପୋଷ୍ଟଗୁଡିକ ମଧ୍ୟରେ ଯୁଗ୍ମ ସଚିବଙ୍କ ୧୦ଟି ପଦ ଏବଂ ନିର୍ଦ୍ଦେଶକ / ଡେପୁଟି ସେକ୍ରେଟାରୀଙ୍କ ୩୫ଟି ପଦବୀ ଥିଲା। ଚୁକ୍ତିନାମା ଭିତ୍ତିରେ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ଏହି ପଦବୀଗୁଡିକ ପୂରଣ କରାଯିବ ‌ବୋଲି କୁହାଯାଇଥିଲା। ତେବେ ବର୍ତ୍ତମାନ ଏହି ବିଜ୍ଞାପନ ବାତିଲ କରାଯାଇଛି।

ଆଉ ଅଧିକ ପଢନ୍ତୁ:https://sambad.in/india-and-beyond/lateral-entry-in-upsc-chirag-paswan-opposes-bjp-1183444/

ଏହି ନିଷ୍ପତ୍ତି ଅନ୍ୟ ପଛୁଆ ବର୍ଗ (ଓବିସି), ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ସଂରକ୍ଷଣ ଅଧିକାରକୁ ଦୁର୍ବଳ କରିବ ବୋଲି ବିରୋଧୀ ଦଳ ତୀବ୍ର ସମାଲୋଚନା କରିଥିଲେ।